କନକ ବ୍ୟୁରୋ : ବିଧାନସଭାର ପ୍ରଥମ ଓ ଦ୍ବିତୀୟ ଦିନରେ ଗୃହ ଚାଲିଛି ମାତ୍ର ୨୩ ମିନିଟ୍ । ଦ୍ବିତୀୟ ଦିନରେ ପୂର୍ବାହ୍ନ ଓ ଅପରାହ୍ନରେ ମିଶି ଗୃହ ଚାଲିଥିଲା ୮ମିନିଟ୍ । ଆଜି ତୃତୀୟ ଦିନରେ ଚାଲିଛି ମାତ୍ର ୧୫ମିନିଟ୍ । ସାର ସଂକଟ ପ୍ରସଙ୍ଗରେ ଆଲୋଚନା ଦାବି କରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିଜେଡି ସଦସ୍ୟ । ହଟ୍ଟଗୋଳ ଯୋଗୁଁ ଦୁଇ ଦିନ ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି । ଧୋଇଯାଇଛି ପ୍ରଶ୍ନକାଳ, ଶୂନ୍ୟକାଳ । ବାରମ୍ବାର ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।
ବିଧାନସଭା ଚାଲିବାକୁ ରାଜ୍ୟ ରାଜକୋଷରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହିସାବ ଅନୁସାରେ ବିଧାନସଭା ଚାଲିବାକୁ ଦୈନିକ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଅର୍ଥାତ ଦୁଇଦିନରେ ୧ କୋଟି ଟଙ୍କା ଖର୍ଚ୍ଚ ହେଲାଣି । କିନ୍ତୁ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଥିଲେ ବି କିଛି ଆଲୋଚନା ହୋଇପାରୁନି । ଗୃହର ଅଚଳାବସ୍ଥା ପାଇଁ ଉଭୟ ବିଜେପି ଓ ବିଜେଡିକୁ ଦାୟୀ କରିଛି କଂଗ୍ରେସ । ବିଜେଡିର ଏକ ପ୍ରତିନିଧି ଦଳ ରାଜଭବନ ଯାଇ ଫେରାଦ ହୋଇଛନ୍ତି । ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ତେରଛା ବାଣ ମାରିଛି ଶାସକ ଦଳ ।
ଚଳିତ ଅଧିବେଶନ ସ୍ବଳ୍ପ କାଳିନ ହୋଇଥିଲେ ବି କୋଳାହଳ ବେଶୀ ଶୁଭୁଛି କିନ୍ତୁ ପ୍ରସଙ୍ଗଭିତ୍ତିକ ଆଲୋଚନା ହେଉନି । ପ୍ରଶ୍ନ ଉଠୁଛି, ବିଧାନସଭା ଅଚଳ ପାଇଁ ଦାୟୀ କିଏ? ରାଜ୍ୟ ସ୍ବାର୍ଥରେ କେବେ ହେବ ଆଲୋଚନା?