କନକ ବ୍ୟୁରୋ : ବୌଦ୍ଧ .. ନାରାୟଣପାଟଣା ..  ସୋନପୁର .. ଟିଟିଲାଗଡ଼ ଏହି ୪ଟି ସ୍ଥାନର ସ୍ଥିତି ବୟାନ କରୁଛି  ରାଜ୍ୟରେ ଏବେ ବି ଟଳିନି ସାର ସଙ୍କଟ । ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଲୋକେ ରାଜରାସ୍ତାକୁ ଓହ୍ଲାଇଲେଣି । ବୌଦ୍ଧ କଣ୍ଟାମାଳ ବ୍ଲକ ଶିମିଳିପଦର ପ୍ୟାକ୍ସରେ ସାର ପାଇଁ ରାତି ଅନିଦ୍ରା ହୋଇଛନ୍ତି ଚାଷୀ । ସାର ଦେବାକୁ  ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି । ସାର ଅଭାବ ପାଇଁ ସୁବର୍ଣ୍ଣପୁରରେ ରାସ୍ତାରୋକ l ୟୁରିଆ ସାରର ଅଭାବ ଓ କଳାବଜାରି ହେଉଥିବା ଅଭିଯୋଗ କରି ସୁବର୍ଣ୍ଣପୁର -ବଲାଙ୍ଗୀର ୨୭ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରିଛନ୍ତି ଚାଷୀ ।

Advertisment

ସଇଁତଳାରେ ଅଧିକାରୀଙ୍କୁ ଲୋକଙ୍କ ତାଲା 
ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ଗୁନସର ଗାଁର ଲୋକେ ସାର ନ ଦେବାରୁ ସହକାରୀ କୃଷି ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ। ଗାଁକୁ ୟୁରିଆ ଆସିଥିବା ଗ୍ରାମବାସୀ ସୂଚନା ମିଳିଥିଲା ହେଲେ କୌଣସି ପ୍ୟାକେଟ ମିଳିନଥିଲା । ତାପରେ ତାତିଥିଲେ ଲୋକେ । ନାରାୟଣ ପାଟଣା ବ୍ଲକରେ ଥିବା ଲ୍ୟାମ୍ପସ ସମ୍ମୁଖରେ ସାର ପାଇଁ ଲାଗିଛି ପ୍ରବଳ ଗହଳି । ଲ୍ୟାମ୍ପସକୁ ୧୨୦୦ ବସ୍ତା ସାର ପହଂଚି ଥିବା ଖବର ପାଇ  ଜମା ହୋଇଥିଲେ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ଚାଷୀ । ପରିସ୍ଥିତି ଏମିତି ହୋଇଥିଲା ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା । ରାଜ୍ୟରେ ସାର ଅଭାବ ନାହିଁ ବୋଲି ବାରମ୍ବାର ସରକାର କହୁଛନ୍ତି, କିନ୍ତୁ ଚାଷୀ ସାର ନପାଇବା ଅନେକ ସମବାୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମବାୟ ମନ୍ତ୍ରୀ ମୁହଁ ଖୋଲିବା ସନ୍ଦେହକୁ ବଢ଼ାଇ ଦେଇଛି । ପ୍ରଶ୍ନ ଉଠୁଛି, ଯଦି ସାର ଅଛି କେଉଁଠି ଅଛି? କିଏ ରଖିଛି ସାର?