କନକ ବ୍ୟୁରୋ: ବିଜେଡିରେ ଶ୍ରୀମୟୀ ଝଡ଼ । ନିଲମ୍ବିତ ହେବା ପରେ ବିଜେଡିକୁ ସୋସିଆଲ ମିଡିଆରେ ଘାଇଲା କରିଛନ୍ତି ଶ୍ରୀମୟୀ ମିଶ୍ର । ପ୍ରଶ୍ନ ପରେ ପ୍ରଶ୍ନ ପଚାରିଚାଲିଛନ୍ତି । ଆଜି ଶ୍ରୀମୟୀଙ୍କୁ କାଉଣ୍ଟର କରି ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି । ଯଦି ସେ ଦଳର ସଦସ୍ୟ ନଥିଲେ କିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ଓ ପଦପଦବୀ ଗ୍ରହଣ କଲେ ବୋଲି ପ୍ରଶ୍ନ କରିଛି ଦଳ ।
ବିଜେଡିରୁ ଶ୍ରୀମୟୀ ମିଶ୍ର ନିଲମ୍ବିତ ହେବା ପରେ ଉଠୁଛି ପଡ଼ୁଛି ବିଜେଡି ରାଜନୀତି । ମାରାଥନ ପୋଷ୍ଟକରି ବିଜେଡିକୁ ଶ୍ରୀମୟୀ ଜବାବ ମାଗିଥିବା ବେଳେ ପ୍ରେସମିଟ କରି ଶ୍ରୀମୟୀଙ୍କ ଉପରେ ବର୍ଷିଛି ବିଜେଡି । ଗତକାଲିର ସୋସିଆଲ ମିଡିଆ ପୋଷ୍ଟ ପରେ ଆଜି ବି ସୋସିଆଲ ମିଡିଆରେ ପୋଷ୍ଟକରି ସଦସ୍ୟତାକୁ ନେଇ ଅଡ଼ୁଆ ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନି ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କର। ଯଦି ସେ ଦଳର ସଦସ୍ୟ ନଥିଲେ କିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ଓ ପଦପଦବୀ ଗ୍ରହଣ କଲେ ?
ପରେ ଶ୍ରୀମୟୀ ଲେଖିଛନ୍ତି, କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶା ହୋଇଛି । ମୋତେ ପ୍ରଶ୍ନ ନକରି ନବୀନଙ୍କ ପ୍ରଶ୍ନ କଲେ ଉତ୍ତର ମିଳିବ। ଏହାସହ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ କରିଛନ୍ତି ।
ବିଜେଡି ଶିବିରରେ କିଛି ଦିନ ହେଲା ବିଶୃଙ୍ଖଳା ଚରମ ସମୀରେ ପହଞ୍ଚିଲାଣି । ଦଳର ନୀତି ଆଦର୍ଶ କଥା ଉଠାଇ ବର୍ଷୁଛନ୍ତି ନେତା । ଏନ ଭାସ୍କର ରାଓ, ଲାଲବିହାରୀ ହିମିରିକା, ପ୍ରଫୁଲ୍ଲ ମଲ୍ଲିକଙ୍କ ପରେ ଏବେ ଶ୍ରୀମୟୀ ମିଶ୍ର ଦଳରୁ ଆଉଟ ହୋଇସାରିଲେଣି । ଆଗକୁ ଆଉ କାହାର ପାଳି ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ କରି ବିଜେଡିକୁ ଘାଇଲା କରିଛନ୍ତି ଶ୍ରୀମୟୀ । କିନ୍ତୁ ମିଡିଆ ସାମ୍ନାକୁ ଆସୁନାହାନ୍ତି ।