କନକ ବ୍ୟୁରୋ : ବିରୋଧୀ ବିଜେଡିର ବିରୋଧ ଓ ଶାସକ ବିଜେପିର ଜିଦ୍ ପାଇଁ ସୋମବାର ଯାଏଁ ଗୃହକାର୍ଯ୍ୟ ମୁଲତବୀ ହୋଇଛି । ଏହାସହ କଂଗ୍ରେସ ଆଣିଥିବା ଅନାସ୍ଥାର ଭାଗ୍ୟ ସଂଶୟ ଭିତରକୁ ଠେଲି ହୋଇଯାଇଛି ।  ବାଚସ୍ପତିଙ୍କ ଅନୁଯାୟୀ, ଗୃହକାର୍ଯ୍ୟ ସ୍ବାଭାବିକ ନହେବା ଯାଏଁ ଅନାସ୍ଥା ଉପରେ ଆଲୋଚନା ସମ୍ଭବ ନୁହେଁ । ବାଚସ୍ପତି ଟାଣିଥିବା ଏହି ଲକ୍ଷ୍ମଣରେଖା କଂଗ୍ରେସର ଅନାସ୍ଥା ପ୍ରସ୍ତାବ ପାଇଁ ଅଡୁଆ ସୃଷ୍ଟି କରିଛି । କାରଣ ଏଯାଏଁ ସ୍ବାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଜାଣିଶୁଣି ଗୃହକୁ ସ୍ବାଭାବିକ କରାଯାଉନଥିବାର ଅଭିଯୋଗ ଆଣିଛି କଂଗ୍ରେସ । ଏଥିପାଇଁ ଉଭୟ ବିଜେଡି ଓ ବିଜେପି ମୁଣ୍ଡରେ ଅଠା ବୋଳିଛି କଂଗ୍ରେସ ।  ଜବାବରେ ବିଜେପି କହିଛି, କଂଗ୍ରେସ ଆଣିଥିବା ଅନାସ୍ଥାର ଭାଗ୍ୟ ଅନ୍ଧାରରେ । ତଥାପି ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ବିଜେଡିର ଯୁକ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ ଦଳ । 
ମୌସୁମୀ ଅଧିବେଶନର ପ୍ରଥମ ଦିନ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମୁଖ୍ୟ ବିରୋଧୀ ବିଜେଡ଼ିର ସମର୍ଥନ ଲୋଡିଥିଲା କଂଗ୍ରେସ । ବିଜେଡି ଏଯାଏଁ ନିଜର କାର୍ଡ ଖୋଲିନଥିବା ବେଳେ ମୌସୁମୀ ଅଧିବେଶନର ଆୟୁଷ ସରି ସରି ଆସୁଛି । ଚଳିତ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସରୁ ୩ ଦିନ ହୋ-ହଲ୍ଲା ଓ ହଟ୍ଟଗୋଳରେ ଧୋଇଗଲାଣି । ବିଜେଡ଼ି ଏବେ ବି ସାର ଆଲୋଚନାକୁ ନେଇ ଜିଦରେ ଅଟଳ । ଏଭଳି ସ୍ଥିତିରେ ବଳକା ୪ କାର୍ଯ୍ୟଦିବସରେ ଅନାସ୍ଥାକୁ ନେଇ ଆଲୋଚନା ସମ୍ଭାବନା କ୍ଷୀଣ ।  ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ଆସିଲେ ବି ସରକାର ପାଇଁ ସେଭଳି କୌଣସି ବିପଦ ନାହିଁ । 

Advertisment