RSS-ON-BJP-President-PKG-T Photograph: (Kanak News)
କନକ ବ୍ୟୁରୋ: ବିଜେପିର ରାଷ୍ଟ୍ରୀୟ ସଭାପତି କିଏ ହେବେ । ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଅନେକ ଆଶାୟୀ ଥିବା ବେଳେ କାହା ନାଁରେ ଦଳ ମୋହର ମାରିବ ସେନେଇ ବି ଚର୍ଚ୍ଚା ଚାଲିଛି । ସାଧାରଣରେ ଚର୍ଚ୍ଚା ହୁଏ କି, ବିଜେପିର ସବୁ ପଦ ପଦବୀ ଆରଏସ୍ଏସ୍ ହିଁ ଚୟନ କରେ । ଖାଲି ଏତିକି ନୁହେଁ ବରଂ ସଂଘର କର୍ମୀଙ୍କୁ ହିଁ ଦଳରେ ସବୁ ଗୁରୁ ଦାୟିତ୍ବ ମିଳେ ବୋଲି ବି କୁହାଯାଏ । ଅବଶ୍ୟ ଏନେଇ ବିଜେପି ନେତା କିନ୍ତୁ କିଛି ଅଲଗା ବୟାନ ଦିଅନ୍ତି । ହେଲେ ଆର୍ଏସ୍ଏସ୍ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି, ବିଜେପିର ଆଗାମୀ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେନେଇ ଯୋଧପୁର ବୈଠକରେ ନିଷ୍ପତ୍ତି ହେବ । ବାସ୍ ମୋହନଙ୍କ ଏହି ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ବିଜେପିର ସବୁ ବଡ଼ ନିଷ୍ପତ୍ତି ଆର୍ଏସ୍ଏସ୍ ହିଁ ନିଏ ।
ବିଜେପିର ରାଷ୍ଟ୍ର ଅଧ୍ୟକ୍ଷ ହେବ କିଏ
ଯୋଧପୁରରେ ବସିବ ବଡ଼ ବୈଠକ
ବିଜେପି ସଭାପତିଙ୍କୁ ନେଇ ମୋହନ ଭାଗବତ ଦେଲେ ବଡ଼ ବୟାନ
ସେପ୍ଟେମ୍ବରରେ ଆର୍ଏସ୍ଏସ୍ର ବଡ଼ ବୈଠକ
ନଡ୍ଡାଙ୍କ ପରେ ଦଳର ଦାୟିତ୍ବ ନେବେ କିଏ
ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି ଜେପି ନଡ୍ଡା । କେବଳ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି ତାହା ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି । ସାଧାରଣ ଭାବରେ ବିଜେପିର ନିତି ଅନୁସାରେ, ଜଣେ ବ୍ୟକ୍ତି ଗୋଟିଏ ପଦରେ ହିଁ ରହିବେ । ତେଣୁ ନଡ୍ଡା କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ତାଙ୍କ ପରେ ଦଳର ଦାୟିତ୍ବ କାହା ଉପରେ ନ୍ୟସ୍ତ ହେବ ତାହା କିନ୍ତୁ ସ୍ପଷ୍ଟ ହୋଇନି ।
ଏହାରି ଭିତରେ ମୋହନ ଭାଗବତ କହିଛନ୍ତି, ସେପ୍ଟେମ୍ବରରେ ରାଜସ୍ଥାନର ଯୋଧପୁରରେ ତିନିଦିନିଆ ସମନ୍ବୟ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ହିଁ ଦଳର ସଭାପତିଙ୍କ ନାଁରେ ମୋହନ ମରାଯିବ । ଏହି ଉଚ୍ଚସ୍ତରୀୟ ବୈଠକରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଏବଂ ଆରଏସ୍ଏସ୍ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଯୋଗଦେବେ। ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଜେପି ଏବଂ ଆରଏସ୍ଏସ୍ ସହ ଜଡ଼ିତ ୩୨ଟି ସଂଗଠନର ପ୍ରତିନିଧିମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଡିସେମ୍ବର ସୁଦ୍ଧା
ବିଜେପି ପାଇବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ
ବର୍ତ୍ତମାନ ସମୟରେ କେନ୍ଦ୍ରରେ ଶାସନ କରୁଛି ବିଜେପି । ୨୦୧୪ରୁ ଲଗାତାର ଭାବରେ କେନ୍ଦ୍ରରେ ବିଜେପିର ସରକାର ଚାଲିଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ପରେ ବିଜେପି ପୁଣି ଥରେ ଶାସନ କ୍ଷମତାକୁ ଆସିବା ପରେ ନଡ୍ଡାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ମୋଦୀ । ନଡ୍ଡା କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ କେବେ ଛାଡ଼ିବେ ଓ ତାଙ୍କ ପରେ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲା । ଏହାରି ଭିତରେ ମୋହନଙ୍କ ବୟାନ ସ୍ପଷ୍ଟ କରିଛି ଯେ ଖୁବଶୀଘ୍ର ବିଜେପି ପାଇବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବିଜେପିର ଅଧ୍ୟକ୍ଷ ଚୟନରେ ଆରଏସ୍ଏସ୍ର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଛି ଏବଂ ଏଥର ମଧ୍ୟ ଏହାର କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଆରଏସଏସର ସହମତିରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Follow Us