କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ବିହାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଦୁଇଟି ପର୍ଯ୍ୟାୟ- ନଭେମ୍ବର ୬ ଏବଂ ନଭେମ୍ବର ୧୧ରେ ମତଦାନ ହେବ । ନଭେମ୍ବର ୧୪ରେ ହେବ ଭୋଟ୍ ଗଣତି । ମୋଟ୍ ୨୪୩ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନରେ ଭୋଟିଂ ହେବ । ଏଥର ୧୪ ଲକ୍ଷ ନୂଆ ଭୋଟରଙ୍କ ସହ ମତଦାନ କରିବେ ୭ କୋଟି ୪୩ ଲକ୍ଷ ମତଦାତା ।
ନୀତୀଶ, ତେଜସ୍ବୀଙ୍କ ପାଇଁ ଅଗ୍ନିପରୀକ୍ଷା
କଣ୍ଟା ସାଜିପାରନ୍ତି ପ୍ରଶାନ୍ତ କିଶୋର
ଏହି ନିର୍ବାଚନରେ ଶାସକ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ମେଣ୍ଟ ଏବଂ କଂଗ୍ରେସ ଓ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ମଧ୍ୟରେ ଏକ ଲଢ଼େଇ ହେବ, କିନ୍ତୁ ଏହି ଦୁଇ ମେଣ୍ଟ ପାଇଁ କଣ୍ଟା ସାଜିପାରନ୍ତି ରାଜନୈତିକ ପ୍ରଶାନ୍ତ କିଶୋର । ଏଥର ପ୍ରଶାନ୍ତ କିଶୋରଙ୍କ ଜନ ସ୍ବରାଜ ଦଳ ସମସ୍ତ ୨୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ନିର୍ବାଚନରେ ତିନି ବ୍ୟକ୍ତି ନୀତିଶ କୁମାର, ତେଜସ୍ୱୀ ଯାଦବ ଏବଂ ପ୍ରଶାନ୍ତ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଯେଉଁମାନେ ଏହି ନିର୍ବାଚନରେ କଠିନ ପରୀକ୍ଷାର ସମ୍ମୁଖୀନ ହେବେ । ତାଙ୍କର ସଫଳତା କିମ୍ବା ବିଫଳତା ସେମାନଙ୍କ ଦଳର ଭାଗ୍ୟକୁ ପ୍ରଭାବିତ କରିପାରେ ଏବଂ ବିହାରର ରାଜନୈତିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିପାରେ ।
୨୦୨୦ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୧୨୫ଟି ଆସନ (ବିଜେପି ୭୪, ଜେଡିୟୁ ୪୩, ଅନ୍ୟ ୮) ଜିତିଥିଲା । ମହାଗଠବନ୍ଧନ ୧୧୦ (ଆରଜେଡି ୭୫, କଂଗ୍ରେସ ୧୯, ଅନ୍ୟ ୧୬) ଜିତିଥିଲା । କିନ୍ତୁ ନୀତୀଶ ଦଳ ପରିବର୍ତ୍ତନ କରି ମହାଗଠବନ୍ଧନ ସହ ମିଶି ସରକାର କରିଥିଲେ । ପରେ ପୁଣି ମହାଗଠବନ୍ଧନ ଛାଡି ବିଜେପି ସହ ମିଶି ସରକାର କରିଥିଲେ । ତେବେ ବିହାର ନିର୍ବାଚନ ରାଜନୈତିକ ଦଳ ପାଇଁ ଗୁରୁତ୍ବ ବହନ କରୁଛି । କାରଣ ବିହାର ନିର୍ବାଚନର ପ୍ରଭାବ ଆସନ୍ତାବର୍ଷ ହେବାକୁ ଥିବା ଆସାମ, ପଶ୍ଚିମବଙ୍ଗ ଓ ତାମିଲନାଡୁ ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।