କନକ ବ୍ୟୁରୋ: କିଏ ହେବେ ଦିଲ୍ଲୀରୂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଘୋଷଣା ପରେ ଏହାକୁ ନେଇ ଆପରେ ରାଜନୀତି ହଲଚଲ ଦେଖାଦେଇଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଆତିସୀ ମାର୍ଲେନା, ଗୋପାଳ ରାୟ, ସୌରଭ ଭରଦ୍ବାଜ ଓ କୈଳାସ ଗେହଲଟ, ଇମ୍ରାନ ହୁସେନ ସବୁଠୁ ଆଗରେ ଅଛନ୍ତି । ଏହାଛଡା କେଜ୍ରିୱାଲଙ୍କ ପତ୍ନୀ ସୁନୀତା ମଧ୍ୟ ଏଥିରେ ରହିଛନ୍ତି ।

  • କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ
  • ଦାବିଦାର ଅନେକ, ନିଷ୍ପତ୍ତିକୁ ଅପେକ୍ଷା

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିସୀ ମାର୍ଲେନା ସବୁଠୁ ଆଗରେ ଅଛନ୍ତି । ଅର୍ଥ,ଶିକ୍ଷା, ମହିଳା ଓ ଶିଶୁ ବିକାଶ, ପର୍ୟ୍ୟଟନ, କଳା, ସଂସ୍କୃତି ଭଳି ୧୪ଟି ବିଭାଗର ମନ୍ତ୍ରୀ ହେଉଛନ୍ତି ଆତିସୀ । ଯେଉଁ ସମୟରେ କେଜ୍ରିୱାଲ ଜେଲରେ ଥିଲେ ସେହି ସମୟରେ ଆପ ସରକାର ଓ ଉପରାଜ୍ୟପାଳ ବିବାଦ ମଧ୍ୟରେ ତାଙ୍କ ସକ୍ରିୟ ରାଜନୀତି ତାଙ୍କୁ ଲୋକଲୋଚନକୁ ଆଣିଥିଲା ।

କେଜ୍ରିୱାଲଙ୍କ ବେଶ ବିଶ୍ବସ୍ତ ଆତିସୀ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରସରକାର ଓ ଉପରାଜ୍ୟପାଳଙ୍କୁ ସମାଲୋଚନା କରୁଥିଲେ । ସ୍ବାଧୀନତା ଦିବସ ପରେଡରେ ଆତିସୀଙ୍କୁ ଦଳ ଜାତୀୟ ପତାକା ଉତୋଳନ କରିବାକୁ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେଜ୍ରିୱାଲ । ଏହି ଦୃଷ୍ଟିରୁ ଆତିସୀ ଆଗାମୀ ନିର୍ବାଚନ ପର୍ୟ୍ୟନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ବେଶ ସମ୍ଭାବନା ରହିଛି । ଏହି ପଦବୀ ପାଇଁ ଅନ୍ୟତମ ଦାବିଦାର ହେଲେ ମନ୍ତ୍ରୀ ଗୋପାଳ ରାୟ । ଗୋପାଳ ରାୟ ଉନ୍ନୟନ, ପରିବେଶ, ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗ ସମ୍ଭାଳୁଛନ୍ତି । ଦିଲ୍ଲୀର ଜଳବାୟୁ ପରିବେଶକୁ ନେଇ ଗୋପାଳ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । 

ସେହିଭଳି ଅନ୍ୟତମ ପ୍ରମୁଖ ମନ୍ତ୍ରୀ କୈଳାସ ଗେହଏଟ,ସୌରଭ ଭରଦ୍ବାଜ, ଇମ୍ରାନ ହୁସେନଙ୍କ ମଧ୍ୟରୁ କାହାକୁବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ବାଛିପାରନ୍ତି ।କେଜ୍ରିୱାଲ ଜେଲ ଯିବାପରଠୁ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ  ଆପ ଦଳୀୟ ବ୍ୟାପରରେ ସକ୍ରିୟ ଅଛନ୍ତି । କେଜ୍ରିୱାଲଙ୍କ ଭିଡିଓ ଭାଷଣ ଓ ଅଭିପ୍ରାୟ ସର୍ମ୍ପକରେ ମିଡିଆକୁ ଜଣାଇବା ବ୍ୟତୀତ ଗତ ଲୋକସଭା ନିର୍ବାଚନ ସମୟରେ ସୁନୀତା ଆପର ତାରକା ପ୍ରଚାରକ ହୋଇଥିଲେ । 

କେଜ୍ରିୱାଲଙ୍କ ଭଳି ସୁନୀତା ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ପ୍ରଶାସନିକ ଅଭିଜ୍ଞତା ରଖିଛନ୍ତି । ମାତ୍ର ପାରିବାରିକ ରାଜନୀତିବ ବିବାଦରେ ନପଡିବାକୁ ଯାଇ କେଜ୍ରିୱାଲଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ବଛା ନଯାଇପାରେ । ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ଫେବୃଆରୀ ହୋଇପାରେ । 

ମାତ୍ର ଏହାକୁ ନଭେମ୍ବର  କିମ୍ବା ଡିସେମ୍ବରରେ ହେବାକୁ ଥିବା ହରିଆଣା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହିତ କରିବାକୁ କେଜ୍ରିୱାଲ ଚାହୁଁଛନ୍ତି ।ଏହି ଦୃଷ୍ଟିରୁ ଜଣେ ବିଧାୟକଙ୍କୁ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରୂପେ କେଜ୍ରିୱାଲ ଚୟନ କରିବା ସମ୍ଭାବନା ଅଧିକ  । ଦିଲ୍ଲୀର କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ,କେବେ ଉଠିବ ସସପେନ୍ସରୁ ପର୍ଦ୍ଦା?କାଲି ଇସ୍ତଫା ଦେବା ପରେ କ’ଣ ରହିବ କେଜ୍ରିୱାଲଙ୍କ ଆଗାମୀ ପଦକ୍ଷେପ ?