ରାଜସ୍ଥାନର ଟୋଙ୍କରେ କମ୍ବଳ ବଣ୍ଟନବେଳେ ବିଜେପି ନେତା ତଥା ପୂର୍ବତନ ବିଧାୟକ ସୁଖବୀର ସିଂହ ଜୌନାପୁରିଆ ମୁସଲିମ୍‌ ମହିଳାଙ୍କ ସହିତ ଭେଦଭାବ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ସୁଖବୀର ସିଂହ ଜୌନାପୁରିଆ ଧର୍ମ ପଚାରି ଜଣେ ମହିଳାଙ୍କଠାରୁ କମ୍ବଳ ଫେରାଇ ନେଇଆସିଥିବାବେଳେ ମହିଳାଙ୍କୁ ସେଠାରୁ ଚାଲି ଯିବାକୁ କହିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେଉଁମାନେ ଗାଳି ଦେଉଛନ୍ତି ସେମାନଙ୍କୁ କମ୍ବଳ ମିଳିବ ନାହିଁ ବୋଲି ଜୌନପୁରିଆ କହୁଥିବାର ଶୁଣିବାକୁ ମିଳିଥିଲା। ପୂର୍ବରୁ ଯେଉଁ ମୁସଲିମ୍‌ ମହିଳାମାନଙ୍କୁ କମ୍ବଳ ମିଳିଥିଲା ସେମାନଙ୍କୁ ମଧ୍ୟ କମ୍ବଳ ଫେରାଇ ଦେବାକୁ କହିଥିଲେ। ସେଠାରେ ଉପସ୍ଥିତ କିଛି ଗ୍ରାମବାସୀ ଏହାକୁ ବିରୋଧ କରିବାକୁ ପୂର୍ବତନ ସାଂସଦ କହିଥିଲେ, ଏହା ମୋ ବ୍ୟକ୍ତିଗତ କାର୍ଯ୍ୟକ୍ରମ, ମୋର ଯାହାକୁ ଇଚ୍ଛା ତାକୁ କମ୍ବଳ ଦେବି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ୍ ଏହି ଭାଇରାଲ ଭିଡିଓକୁ ‘ଏକ୍ସ’‌ରେ ସେୟାର କରି ପୂର୍ବତନ ସାଂସଦ ମୁସଲମାନ ମହିଳାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି। ବିବାଦ ବଢ଼ିବା ପରେ ଜୌନପୁରିଆ ନିଜ ପକ୍ଷ ରଖି କହିଥିଲେ ଯେ, ଏକ ବିଶେଷ ଧର୍ମର ଲୋକ ମୋଦୀଙ୍କ ବିରୋଧୀ ଅଟନ୍ତି। ତାଙ୍କ ସମ୍ପର୍କରେ ମନଇଚ୍ଛା ଟିପ୍ପଣୀ କରନ୍ତି। ସବୁ ହିନ୍ଦୁ ବିଜେପିକୁ ସମର୍ଥନ କରନ୍ତି ନାହିଁ। କିନ୍ତୁ ଗୋଟିଏ ବିଶେଷ ଧର୍ମର ଲୋକ କେବେବି ମୋଦୀଙ୍କ ରାଲିକୁ ଆସିବେ ନାହିଁ। ସେ କହିଛନ୍ତି, ତାଙ୍କ କମ୍ୟୁନିଟି କିଚେନରେ ସେ ସବୁ ଧର୍ମର ଲୋକଙ୍କୁ ବିନା କୌଣସି ଭେଦଭାବରେ ଖାଦ୍ୟ ବଣ୍ଟନ କରିଥାନ୍ତି ଓ ପିଲାମାନଙ୍କୁ ପଠନ ସାମଗ୍ରୀ ବଣ୍ଟନ ବେଳେ ମଧ୍ୟ ସେ ଭେଦଭାବ କରନ୍ତି ନାହିଁ ବୋଲି କହିଛନ୍ତି।

Advertisment