କନକ ବ୍ୟୁରୋ: ଧର୍ମାନ୍ତୀକରଣ ଓ ମାନବ ଚାଲାଣ ଅଭିଯୋଗରେ ଛତିଶଗଡ଼ରେ କେରଳର ୨ଜଣ ନନ୍‌ଙ୍କ ଗିରଫ ଘଟଣା ରାଜନୀତିର ରୂପ ନେଇଛି । ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଶଶୀ ଥରୁର ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ସେମାନଙ୍କୁ ମୁକୁଳାଇବାକୁ ଦାବି କରିଛନ୍ତି ।

Advertisment

ବଜରଙ୍ଗ ଦଳର ଅଭିଯୋଗ ଆଧାରରେ କେରଳର ଏହି ଦୁଇ ନନ୍ ପ୍ରୀତି ମେରୀ ଓ ବନ୍ଦନା ଫ୍ରାନ୍ସିସଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ଦୁର୍ଗ ରେଳଷ୍ଟେସନରୁ ଗିରଫ କରାଯାଇଛି । ନାରାୟଣପୁରର ୩ଜଣ ନାବାଳିକାଙ୍କୁ ଧର୍ମାନ୍ତୀକରଣ କରି ଚାଲାଣ କରାଯାଉଥିବା ବେଳେ ଛତିଶଗଡ଼ ପୁଲିସ ଏମାନଙ୍କୁ ଧରିଛି ।

ସ୍ବାଭାବିକ ଭାବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏଥିରେ ଉଦ୍‌ବେଗ ପ୍ରକାଶ କରିବା ସହ କେବଳ ଧର୍ମ ପାଇଁ ଦୁଇଜଣ ନନ୍‌ଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି । ଖୁବ୍‌ଶୀଘ୍ର ସେମାନଙ୍କୁ ଖଲାସ କରିବାକୁ ୱାୟନାଡର ପୂର୍ବତନ ସାଂସଦ ମଧ୍ୟ ଦାବି କରିଛନ୍ତି । ଯାହାକୁ ନେଇ କେରଳରେ ଉଭୟ ଏଲ୍‌ଡିଏଫ୍‌ ଓ ୟୁଡିଏଫ୍‌ ଉଦ୍‌ବେଗ ପ୍ରକାଶ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏହି ଗିରଫଦାରୀକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଯୁକ୍ତଯୁକ୍ତ ବୋଲି ଦର୍ଶାଇଛନ୍ତି । ମାତ୍ର କେରଳରେ ପ୍ରବଳ ଉତ୍ତେଜନା ପରେ କେରଳ ପ୍ରଦେଶ ବିଜେପି ଏହି ଗିରଫଦାରୀକୁ ନିନ୍ଦା କରିଛି ।ଦୁଇଜଣ ନନ୍‌ଙ୍କୁ ଖଲାସ କରିବାକୁ ସମସ୍ତ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ରାଜୀବ ଚନ୍ଦ୍ରଶେଖର ଇତିମଧ୍ୟରେ ପରିସ୍ଥିତି ଅନୁଧ୍ୟାନ ପାଇଁ ୟୁଡିଏଫ୍‌ର ଏକ ସଂସଦୀୟ ପ୍ରତିନିଧି ଦଳ ସହ ରାୟପୁରରେ ପହଞ୍ଚିଛନ୍ତି ।