କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ତେଜିବାରେ ଲାଗିଛି । ବିରୋଧୀ ସରକାରଙ୍କୁ, ସରକାର ବିରୋଧୀଙ୍କୁ ଟାର୍ଗେଟ୍ କରିବା ପାଇଁ ଟିକିଏ ବି ସୁଯୋଗ ଛାଡ଼ୁନାହାନ୍ତି । ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ବିଷୟରେ ବିବାଦୀୟ ବୟାନ ବିହାର ରାଜନୀତିରେ ନିଆଁ ଲଗାଇଥିଲା । ଏହି ନିଆଁ ଲିଭିନଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କୁ ନେଇ ଏକ ଏଆଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ରାଜନୀତି ପାଣିପାଗ ଗରମ ହୋଇଛି । 

Advertisment

ବିହାର କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମାଆଙ୍କୁ ନେଇ ଏକ ଏଆଇ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଏହି ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀ ଭୋଟ ଚୋର ଭାବେ ଦର୍ଶାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କ ମାଆ ସ୍ବପ୍ନରେ ଆସି ମୋଦୀଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କାହାର ବିନା ଅନୁମତିରେ ଏଭଳି ଏଆଇ ଭିଡିଓ ବନାଇବା ଦଣ୍ଡନୀୟ ଅପରାଧ । ତେଣୁ କଂଗ୍ରେସ ପାର୍ଟି ପାଇଁ ଏହା ଅଡ଼ୁଆ ସୃଷ୍ଟି କରିପାରେ । ଆଇନଗତ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ । 

ସାଇବର ଏକ୍ସପର୍ଟଙ୍କ କହିବା ଅନୁସାରେ, ଏଆଇକୁ ନେଇ କୌଣସି ବୈଦ୍ଧ ଆଇନ୍ ନାହିଁ, କିନ୍ତୁ କୌଣସି ବ୍ୟକ୍ତିଙ୍କର ଏଭିଳି ନକାରାତ୍ମକ ଭିଡିଓ ବନାଇବା ଏକ ଦଣ୍ଡନୀୟ ଅପରାଧ । ଏପରି ଭିଡିଓ ଆଇଟି ଆକ୍ଟ ୨୦୦୦, ଭାରତର ନ୍ୟାୟ ସଂହିତା ୨୦୨୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ । ଏହା ଏହ ଡିଜିଟାଲ୍ ଧୋକାଧାଡ଼ି ବୋଲି ମଧ୍ୟ ମାନିନେଇ ହେବ । ଆଇଟି ଆକ୍ଟ-୨୦୦୦, ଧାରା ୬୬(ଡି) ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ପରିଚୟକୁ ନେଇ ବିବାଦୀୟ ଭିଡିଓ ବନାଯାଏ ତେବେ ତାଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ସହ ଜରିମାନା ହୋଇପାରେ । ଏହି ଘଟଣାକୁ ନେଇ ମାନହାନୀ ମକଦମା ବି କରାଯାଇପାରିବ ।