Rahun Gandhi Photograph: (Kanak News)
କନକ ବ୍ୟୁରୋ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । କହିଲେ, ରାହୁଲ ଗାନ୍ଧି ପ୍ରଥମ ବିରୋଧୀ ଦଳ ନେତା ଯିଏ ବିଦେଶରେ ଯାଇ ଭାରତ , ଦେଶର ବ୍ୟବସ୍ଥା ଓ ଗଣତନ୍ତ୍ର ବିରୋଧରେ ଭାଷଣ ଦେଉଛନ୍ତି । ଜଣେ ବିରୋଧୀ ଦଳ ନେତା ହେବା ପରେ ବି ବିଦେଶରେ ସେ ଯେଉଁପରି ଭାବରେ ବୟାନ ଦେଉଛନ୍ତି ତାହା ଦୁର୍ଭାଗ୍ୟଜନକ । ରିଜଜୁ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ରାହୁଲ ଗାନ୍ଧୀ ଭାରତ ସହ ଜଡିତ ତଥ୍ୟକୁ ବିକୃତ କରୁଛନ୍ତି ଏବଂ ତାଙ୍କର ଏଭଳି କାର୍ଯ୍ୟ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ । ଏକ ସାକ୍ଷାତକାରରେ ରିଜିଜୁ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେଇପାରିବ ନାହିଁ ବୋଲି ରାହୁଲ ଦେଇଥିବା ବିବୃତି ସମ୍ପୂର୍ଣ୍ଣ ଭୁଲ୍ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପ୍ରତିଷ୍ଠା କରିଛି । କିନ୍ତୁ ଆମର ବିରୋଧୀ ଦଳର ନେତାମାନଙ୍କ ଭାରତ ବିରୋଧୀ ବୟାନ ଦେଶର ସମ୍ମାନକୁ କ୍ଷତି ପହଞ୍ଚାଉଛି ।
କଲମ୍ବିଆ ଗସ୍ତରେ ଥିଲେ ରାହୁଲ
ଭାରତ ବିରୋଧରେ ଦେଇଥିଲେ ମନ୍ତବ୍ୟ
ଏବେ ମନ୍ତ୍ରୀ କଲେ ସମାଲୋଚନା
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । ରାହୁଲ ତାଙ୍କ କଲମ୍ବିଆ ଗସ୍ତ ସମୟରେ ଭାରତ, ବିଜେପି ଓ ଆର୍ଏସ୍ଏସ୍କୁ ନେଇ ଦେଇଥିବା ବୟାନ ଦୁର୍ଭାଗ୍ୟଜନକ ଏବଂ ବିରୋଧୀ ଦଳ ନେତାଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି । ରିଜଜୁ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଥମ ବିରୋଧୀ ଦଳ ନେତା ଯିଏକି ବିଦେଶ ଯାଇ ଦେଶ, ଏହାର ବ୍ୟବସ୍ଥା ଏବଂ ଗଣତନ୍ତ୍ର ବିରୋଧରେ ଭାଷଣ ଦେଉଛନ୍ତି ।
ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ
କହିଲେ, ବିଦେଶରେ ବିରୋଧୀ ଦଳ ନେତାଙ୍କ ବୟାନ
ଆଦୌ ଗ୍ରହଣୀୟ ନୁହେଁ
ଅନ୍ୟ ବିରୋଧୀ ଦଳ ନେତାଙ୍କ ନାଁ ନେଲେ
କହିଲେ, ସେମାନେ ବିରୋଧୀ ଦଳରେ ଥିଲେ ବି
ବିଦେଶରେ କେବେ ଭାରତ ବିରୋଧରେ କୁହନ୍ତି ନାହିଁ
କିରଣ ରିଜୁ ଆହୁରି କହିଛନ୍ତି, ପୂର୍ବରୁ ଦେଶରେ ଅନେକ ବିରୋଧୀ ଦଳ ନେତା ଥିଲେ । ଇନ୍ଦିରା ଗାନ୍ଧୀ, ଲାଲକୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ୱରାଜ ଏବଂ ଶରଦ ପାୱାରଙ୍କ ପରି ପୂର୍ବତନ ବିରୋଧୀ ଦଳ ନେତା ବିଦେଶରେ ରହି କେବେ ବି ଦେଶ କିମ୍ବା ସରକାର ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ହେଲେ ଏବେର ବିରୋଧୀ ଦଳ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି ଯାହା ଗ୍ରହଣୀୟ ନୁହେଁ ।
କଲମ୍ବିଆରେ କ’ଣ କହିଥିଲେ ରାହୁଲ ?
କଲମ୍ବିଆର ଏକ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ କରିଥିଲେ । କହିଥିଲେ, ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ହେଉଛି ଗଣତନ୍ତ୍ର ଉପରେ ଆକ୍ରମଣ । ଭାରତର ବ୍ୟବସ୍ଥାରେ ମଧ୍ୟ ବହୁତ ତ୍ରୁଟି ଅଛି, ଯାହାକୁ ସଂଶୋଧନ କରାଯିବା ଆବଶ୍ୟକ । ବାସ୍ ଏହାପରେ ରାହୁଲଙ୍କୁ ନେଇ ଶାସକ ଦଳର ନେତା ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିବା ସହ ରାହୁଲ ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ।
Follow Us