କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଭାରତୀୟ ରାଜନୀତିରେ ଏକ ନିଆରା ଚେହେରା । କେତେବେଳେ କାହା ସାଂଗରେ ମେଣ୍ଟ କରୁଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା । ଗତ ବିହାର ବିଧାନସଭା ନିର୍ବାଚନ ଫଳାଫଳ ମୁତାବକ ନୀତିଶ କୁମାରଙ୍କ ଜେଡିୟୁ ବିହାରର ୩ ନମ୍ବର ପାର୍ଟି । କାରଣ ଏଠାରେ ବିଜେପିର ୭୯ ବିଧାୟକ ତ ଆରଜେଡିର ୭୮ ବିଧାୟକ ହେଲେ ନୀତିଶଙ୍କ ଜେଡିୟୁ ପାଖରେ ମାତ୍ର ୪୫ ଜଣ ବିଧାୟକ ରହିଛନ୍ତି । ହେଲେ ଏବେ ନୀତିଶ କୁମାର ଆରଜେଡି ମେଣ୍ଟରୁ ବାହାରି ଆସି ପୁଣି ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିଛନ୍ତି । ସବୁଠାରୁ ବଡ କଥା କି ନୀତିଶ କୁମାର ପ୍ରଥମେ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଥିଲେ ଓ ବିଜେପିର ୭୯ ବିଧାୟକ ଥିବା ବେଳେ ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣି ଆରଜେଡି ସହ ମେଣ୍ଟ କରି ସରକାର ଗଠନ କଲେ । ହେଲେ ଆରଜେଡିର ୭୮ ବିଧାୟକ ଥିବା ବେଳେ ୪୫ ବିଧାୟକଙ୍କୁ ନେଇ ପୁଣି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ପୁଣିଥରେ ନୀତିଶ ବିଜେପି ମେଣ୍ଟରେ ମୁଖ୍ୟମନ୍ତ୍ରୀ ଅଛନ୍ତି ।

Advertisment

କଥା ହେଉଛି ସେ ଆରଜେଡି ହେଉ କି ବିଜେପି ନୀତିଶଙ୍କୁ ଜେଡିୟୁ ଠାରୁ ଏମାନଙ୍କ ପାଖରେ ଦୁଇଗୁଣା ବିଧାୟକ ଥିଲେ ବି ନୀତିଶ ମୁଖ୍ୟମନ୍ତ୍ରୀ ପଦ ନେଉଛନ୍ତି । ଏସବୁ ଭିତରେ ଆସିଛି ଲୋକସଭା ନିର୍ବାଚନ । ଏଥର ବି ନୀତିଶ କୁମାର ବିଜେପି ଉପରେ ଭାରି ପଡିଛନ୍ତି । ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ବିଜେପି ଜେଡିୟୁକୁ ୧୬ ଟି ଆସନ ଛାଡିଛି । କଥା ଉଠୁଛି କି ୭୯ ବିଧାୟକ ଥିବା ବିଜେପି ୧୯ ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ୪୫ ବିଧାୟକ ଥିବା ଜେଡିୟୁକୁ କିଭଳି ୧୬ଟି ଆସନ ଛାଡିଛି । ଏହା ଚାପରେ ନା ଜେଡିୟୁ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଆଶା କରୁଛି ।

ବିହାରରେ ଏନଡିଏ ମେଣ୍ଟର ଆସନ ବୁଝାମଣା ଫାଇନାଲ ହୋଇନାହିଁ । ଏନଡିଏ ଜିତନରାମ ମାଞ୍ଝୀ, ପଶୁପତି ପାରସ, ଉପେନ୍ଦ୍ର କୁଶୱାହାଙ୍କ ପାର୍ଟିକୁ କେତେ ଆସନ ଛାଡିବ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ନୀତିଶ କୁମାରଙ୍କ ପାର୍ଟି ଜେଡିୟୁ ୧୬ ଟି ଆସନରେ ଲଢିବ ବୋଲି ନିଷ୍ପତ୍ତି ହୋଇଛି । ଅନୁମାନ କରାଯାଉଛି କି ବିହାରରେ ବିଜେପି ୧୯ ଟି ଆସନ, ଜେଡିୟୁ ୧୬ଟି ଆସନ, ଲୋକ ଜନଶକ୍ତି ପାର୍ଟି ୫ଟି ଆସନ, ହମ୍ ଗୋଟିଏ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଗୋଟିଏ ଆସନରେ ନିର୍ବାଚନ ଲଢିପାରନ୍ତି ।