ନୟାଗଡ ରାଜନୀତିର ନୂଆ ଅସ୍ତ୍ର । ‘ଚିନିକଳ’ର ଦ୍ୱାହି ଦେଇ ଭୋଟ୍ ମାଗୁଛନ୍ତି ନେତା

ପୁରୀ ବିଜେପି ଲୋକସଭା ପ୍ରାର୍ଥୀ କହିଲେ, ନିର୍ବାଚନ ଜିତିବାର ୧୫ଦିନ ଭିତରେ ଖୋଲାଯିବ ଚିନିକଳ

690

କନକ ବ୍ୟୁରୋ: ଆସନ୍ତା ୨୩ରେ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନୟାଗଡରେ ପଡିବ ଭୋଟ । ଏଥିପାଇଁ ନୟାଗଡ ବିଧାନସଭା ଆସନରେ ଘମାଘୋଟ ପ୍ରଚାର ସହ ଭୋଟରଙ୍କୁ ହାତେଇବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣେଇଲେଣି ନେତା । ଏଥିସହିତ ପରସ୍ପରକୁ କାଦୁଅ ଛାଟିବାରେ ବ୍ୟସ୍ତ  ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଆଉ କଂଗ୍ରେସ । ଆଉ ଏସବୁ ଭିତରେ ଏବେ ସମସ୍ତଙ୍କ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଛି ଚିନିକଳ ।

ନିର୍ବାଚନ ଜିତିବାର ୧୫ ଦିନ ଭିତରେ ଚିନିକଳ ଖୋଲାଯିବ ଆଉ ୨ ମାସ ଭିତରେ ଏହାକୁ ଚାଲୁ କରାଯିବ । ନୟାଗଡରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏଭଳି କିଛି ପ୍ରତିଜ୍ଞା କରିଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ଆଉ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଗୋଟିଏ ଗୁଣ୍ଡଚି ମୂଷା ଭାବରେ ସେ ଏହି ପ୍ରତିଜ୍ଞା କରୁଛନ୍ତି ।

ଶିଳ୍ପ ବିହୀନ ନୟାଗଡ ଜିଲ୍ଲାର ଆବଶ୍ୟକତା ଦୃଷ୍ଟିରୁ ୧୯୮୨ ମସିହାରେ ସ୍ଥାପିତ ହୋଇଥିଲା ଏହି ସମବାୟ ଚିନିକଳ । ପରିଚାଳନାଗତ ତୃଟି ଯୋଗୁଁ ପରବର୍ତୀ ସମୟରେ ଏହାକୁ ସାଗମାଛ ଦରରେ ଏକ ଘରୋଇ କମ୍ପାନି ହାତକୁ ଟେକି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ କମ୍ପାନୀର ଚାଷୀ ଓ କର୍ମଚାରୀ ମାରଣ ନିତି ଯୋଗୁଁ ପରବର୍ତୀ ସମୟରେ ଉଗ୍ର ହେଲା ଅସନ୍ତୋଷ । ଶେଷରେ ୨୦୧୪ ମସିହାରେ ଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ବାକି ରଖି କମ୍ପାନି ଫାଟକରେ ତାଲା ଝୁଲାଇଦେଲେ କମ୍ପାନୀ କତୃପକ୍ଷ ।

ଏପଟେ ଗେଟରେ ତାଲା ଝୁଲିଲା । ସେପଟେ ତାଲା ଖୋଲିବା ପାଇଁ ଆନ୍ଦୋଳନ ଉଗ୍ର ହେବାରେ ଲାଗିଲା । ଆଉ ଆନ୍ଦୋଳନ ଜିଲ୍ଲା ସଦର ମହକୁମା ଡେଇଁ ରାଜଧାନୀରେ ପହଂଚିଲା । ହେଲେ ୫ ବର୍ଷ ପରେ ଆଜି ବି ବନ୍ଦ ପଡିଛି ଚିନିକଳ , ହତାଶ ହୋଇଛନ୍ତି ହଜାର ହଜାର ଚାଷୀ ଓ କର୍ମଚାରୀ । ଆଉ ଏଭଳି ସ୍ଥିତିକୁ ନିର୍ବାଚନୀ ମୁଦ୍ଦା କରିବାର ସୁଯୋଗ ହାତଛଡା କରୁନି ନୟାଗଡ ବିଜେପି । ଅନ୍ୟପଟେ ଚାଷୀ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଦାବୀରେ ଯେତେବେଳେ ଆନ୍ଦୋଳନ ଚାଲିଥିଲା ସେତେବେଳେ  ନାଁ ବିଧାୟକଙ୍କର ନାଁ ଏହି ବିଜେପି ନେତାମାନଙ୍କର ଦେଖା ଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ତେଣୁ ବିଜେପିର ଏହି ଉଦ୍ୟମ କେବଳ ବାହାସ୍ପୋଟ କହିବା ସହ କଂଗ୍ରେସ ଅମଳର ଏହି ଚିନିକଳକୁ କେବଳ କଂଗ୍ରେସ ହିଁ ଚଲାଇ ପାରିବ ବୋଲି କହିଛନ୍ତି ତତକାଳୀନ କଂଗ୍ରେସ ବିଧାୟକଙ୍କ ପୁଅ ତଥା ବର୍ତମାନର କଂଗ୍ରେସ ପ୍ରାର୍ଥୀ ।

ଚିନିକଳ ପାଇଁ ବିଗତ ଦିନରେ ଅନେକ ତୁମ୍ବିତୋଫାନ ସତ୍ୱେ ଏହାର ପୁରୁଦ୍ଧାର ପାଇଁ କେବେବି ଚେଷ୍ଟା କରିନଥିଲେ ବିଧାୟକ ଅରୁଣ ସାହୁ । ଓଲଟି ତତକାଳୀନ ସମବାୟ ମନ୍ତ୍ରୀ ସୁରମା ପାଢୀ ଓ ବିଧାୟକ ଅରୁଣ ସାହୁ ମିଳିମିଶି ଚିନିକଳକୁ ହଜମ କରିଦେଲେ ବୋଲି ଅଭିଯୋଗ ହୋଇଥିଲା । ଆଉ ଏବେ କହୁଛନ୍ତି ଚିନିକଳ ଚାଲିବା ପାଇଁ ଉଦ୍ୟମ କରାଯାଉଛି । ସେପଟେ ନିର୍ବାଚନ ଜିତିବାର ୧୫ ଦିନରେ ଚାଲୁ କରିବା କଥା ସମ୍ବିତ ପାତ୍ର କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଖୁରୁ ପେଟ୍ରୋଲ ଡିଜେଲ ଉତ୍ପାଦନ କରାଯିବ ବୋଲି କହିଛନ୍ତି ।

somya pattanaik joined teacher strike

ସେପଟେ ଗତ କିଛି ଦିନତଳେ ନୟାଗଡ ସଭାରେ ଚିନିକଳର ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ ରଖିଥିଲେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟନାୟକ । ତେଣୁ ବିଜେଡି ବିଜେପି ଆଉ କଂଗ୍ରେସ । ନୟାଗଡ ବିଧାନସଭା ଆସନ ଆଉ ଜିଲ୍ଲା ପାଇଁ ଚିନିକଳ ଯେ ସବୁଠାରୁ ବଡ ଚ୍ୟାଲେଞ୍ଜ ତାହା ସହଜରେ ଅନୁମେୟ ।