କନକ ବ୍ୟୁରୋ: ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରାଜ୍ୟ ସରକାରଙ୍କୁ ଗାଦିରୁ ହଟାଇବା ଲାଗି ଆହ୍ବାନ ଦେଇଥିବା ବେଳେ ସେପଟେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯେ ଗରିବଙ୍କ ପ୍ରତି ସର୍ବନିମ୍ନ ଦରଦ ନାହିଁ, ଗତକାଲି ଉଭୟ ରାୟଗଡା ଓ ଗଜପତି ଜିଲ୍ଲାରେ ନବୀନ ବୁଲି ବୁଲି କହିବା ସହିତ ସମଗ୍ର ରାଜ୍ୟକୁ ଏଭଳି ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି। ଆହାର, ଟଙ୍କିକିଆ ଚାଉଳ ଓ ପିଇବା ପାଣି ଭଳି ତିନିଟି ସମ୍ବେଦନଶୀଳ କାର୍ଯ୍ୟକ୍ରମରେ କେନ୍ଦ୍ରର ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ କୌତୂହଳର କଥା ହେଲା ଗତକାଲି ନବୀନ ବିଜେପି ଓ କେନ୍ଦ୍ରକୁ ବିରାଡି ବୈଷ୍ଣବ ବୋଲି ଚିତ୍ରିତ କରିଛନ୍ତି। ସେହିଭଳି ଦୁର୍ବିପାକ ସମୟରେ କେନ୍ଦ୍ରର ବୈମାତୃକ ମନୋଭାବ ନେଇ ବି ନବୀନ ଅସନ୍ତୋଷ ଜଣାଇ ଟାର୍ଗେଟ କରିଛନ୍ତି।
ଗତକାଲି ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ସହର ଏବଂ ରା.ଉଦୟଗିରି ବ୍ଲକ୍ ମହେନ୍ଦ୍ରଗଡ଼ ପଞ୍ଚାୟତସ୍ଥିତ କୁଶପଲ୍ଲୀ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡି ଗଜପତି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ଓ ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦରଦ ସଂପର୍କରେ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଆମେ ଗରିବଙ୍କ ପାଇଁ ଆହାର ଯୋଜନା କରିଛୁ। କିନ୍ତୁ କେନ୍ଦ୍ର ଏହି ଯୋଜନାକୁ ସହଯୋଗ ପାଇଁ ମନା କଲେ। ଫଳରେ ରାଜ୍ୟ
ସରକାର ନିଜ ଉଦ୍ୟମରୁ ଏହାକୁ ଜାରି ରଖିଛନ୍ତି।
ଆପଣମାନେ ଟଙ୍କିକିଆ ଚାଉଳ ପାଉଛନ୍ତି ତ? ବୋଲି ପ୍ରଶ୍ନ କରି ଏ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଆପତ୍ତି ଉଠାଇଥିଲେ। କହିଥିଲେ, ଏହି ଯୋଜନା କାହାର ଦୟା ନୁହେଁ। ଏହା ଆପଣଙ୍କର ଟଙ୍କା। କେନ୍ଦ୍ର ସରକାର ୩୦ଲକ୍ଷ ଗରିବଙ୍କୁ ଚାଉଳ ଦେବାକୁ ମନା କଲେ। ଏହା ଠିକ୍ କି? ଏବେ ଆମ ସରକାର ସବୁ ଗରିବଙ୍କୁ ଚାଉଳ ଦେଉଛନ୍ତି।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ମାନେ କୁହନ୍ତୁ ଯେ ସ୍ବାସ୍ଥ୍ୟ ସୁବିଧା ପାଇଁ ଆପଣଙ୍କର ପାଞ୍ଚଲକ୍ଷ ନା ସାତ ଲକ୍ଷ ଟଙ୍କା ଦରକାର? କେନ୍ଦ୍ର େଯାଜନାରେ ପାଞ୍ଚ ଲକ୍ଷ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆମ ସରକାର ମା’ ମାନଙ୍କୁ ଦେଉଛି ସାତ ଲକ୍ଷ ଟଙ୍କା। ସେହିପରି ପିଇବା ପାଣି ପାଇଁ କେନ୍ଦ୍ର ଦେଉଛି ୧ହଜାର, କିନ୍ତୁ ରାଜ୍ୟ ଖର୍ଚ କରୁଛି ୧୨ ହଜାର। ଜଳସେଚନରେ ଖର୍ଚ କରୁଛି ୨୦ହଜାର କୋଟି। କେନ୍ଦ୍ର ଦେଉଛି ମାତ୍ର୨୫୦ କୋଟି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ତିତଲି ଆସିଲା, ବହୁତ କ୍ଷତି କରିଦେଇଗଲା। ଆନ୍ଧ୍ରକୁ ଆଗ ସାହାଯ୍ୟ ମିଳିଲା। ଆମମାନଙ୍କ କଥା କେନ୍ଦ୍ର ସରକାରଙ୍କର ମନେ ପଡିଲା ବହୁତ ପଛରେ। ଓଡ଼ିଶା ପ୍ରତି ଓ ଗରିବ ଲୋକ ଓ ମହିଳାଙ୍କ ପ୍ରତି ଏମାନଙ୍କର ଦରଦ ଏମିତି ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ ଏମାନେ ସବୁ ‘ବିରାଡି ବୈଷ୍ଣବ’ ବୋଲି କହିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାୟଗଡାର ଜେକେପୁର ହେଲିପ୍ୟାଡରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବସ୍ ଯୋଗେ ରୋଡ୍ ସୋ’ କରିଥିଲେ। ଜେକେପୁରରୁ ରାୟଗଡା ଜିସିଡି ପଡିଆ ପର୍ୟ୍ୟନ୍ତ ୧୨ କିମି ରୋଡ୍ ସୋ’ ରେ ଯାଇ ଜେକେପୁର, କୋତପେଟା ଓ ଜିସିଡି ପଡିଆ ନିକଟରେ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ।
ନବୀନ କହିଥିଲେ, କାଳିଆ ଯୋଜନାରେ ଓଡ଼ିଶାର ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ବର୍ତମାନ ସୁଦ୍ଧା ୪୦ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇ ସାରିଛନ୍ତି। ଆଗକୁ ଆଉ ୨୫ଲକ୍ଷ ଚାଷୀ ଏହାର ଲାଭ ପାଇବେ। ବିଜେପିକୁ ଟାର୍ଗେଟ୍ କରି ନବୀନ କହିଥିଲେ, କେନ୍ଦ୍ର ସରକାରର ବରିଷ୍ଠ ନେତାମାନେ ୫ ବର୍ଷ ହେଲା କୁଆଡ଼େ ଯାଇଥିଲେ? ଦୈବ ଦୁର୍ବିପାକକୁ ଓଡ଼ିଶା ଏକା ମୁକାବିଲା କରିଥିଲା। ଏବେ ନିର୍ବାଚନୀ ଋତୁ ଆସିବା ପରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ର ନେତାଙ୍କୁ ଜବାବ ମାଗିବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଦିବାସୀଙ୍କ ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାର କେବିକେ ଯୋଜନା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲେ ତାର ଉତ୍ତର ଦିଅନ୍ତୁ। ଚାଷ ବୀମା ଯୋଜନାରେ ଚାଷୀ କାହିଁକି ଉପକୃତ ହୋଇପାରୁ ନାହାନ୍ତି, କୁଆଡେ ଗଲା ୧୦ କୋଟି ନିଯୁକ୍ତି, ଧାନର ସହାୟକ ମୂଲ୍ୟ କାହିଁକି ଦୁଇ ଗୁଣା ହୋଇ ପାରିଲା ନାହିଁ ଏସବୁ ପ୍ରସଂଗକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜବାବ ମାଗିଥିଲେ।
ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର ବୋଲି ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେଷ ନିଶ୍ବାସ ପର୍ୟ୍ୟନ୍ତ ଆପଣଙ୍କ ସେବା କରିଚାଲିବି। ଏଥିସହିତ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଲାଗି ନବୀନ ନିବେଦନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Sequence-1-01214605.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-07-14h20m58s444-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-07-14h20m47s493-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-06-19h45m40s973-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-06-19h45m53s044-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-05-19h42m37s006-300x220.png)
/kanak/media/post_attachments/wp-content/uploads/2019/04/vlcsnap-2019-04-06-16h25m27s332-300x220.png)