ବଲାଙ୍ଗୀରରେ ବଡ ଲଢେଇ: ଦିଅର-ଭାଉଜଙ୍କ ଲଢ଼େଇ ସହ ମୈଦାନରେ ଅଛନ୍ତି ୮ ପ୍ରାର୍ଥୀ, ୭ ବିଧାନସଭା ଆସନରେ କଡ଼ା ଟକ୍କର

179

କନକ ବ୍ୟୁରୋ: ନିଜ ନିଜର ସମସ୍ୟା ନେଇ ପୂର୍ବରୁ ଭୋଟରମାନେ ଯାଇ ନେତାଙ୍କ ପାଖରେ ହାତ ଯୋଡୁଥିଲେ। ଏବେ କିନ୍ତୁ ନିର୍ବାଚନର ଠିକ୍ ପୂର୍ବରୁ ନେତାମାନେ ଭୋଟରଙ୍କ ନିକଟକୁ ଯାଇ ହାତ ଯୋଡୁଛନ୍ତି। ତାଙ୍କ ସମସ୍ୟା ଶୁଣୁଛନ୍ତି ଓ ସମାଧାନ କରିବାର ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ଯେତିକି ସମୟ ପାଖେଇ ଆସୁଛି, ନେତାଙ୍କ ବ୍ୟସ୍ତତା ସେତିକି ବଢୁଛି।

ଆଗାମୀ ୧୮ ତାରିଖରେ ହେବାକୁ ଯାଉଛି ମତଦାନ। ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ ଗତ ଥର ଭଳି ଏଥର ମଧ୍ୟ ୮ ଜଣ ପ୍ରାର୍ଥୀ ରହିଛନ୍ତି ମୈଦାନରେ। ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରସୋରରେ ଚଳାଇଛନ୍ତି ପ୍ରଚାରପ୍ରସାର। ଲୋକସଭା ଆସନ ପାଇଁ ଏଥର ବିଜେଡି ପୁଣି ଭରସା କରିଛି ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ। କଳିକେଶ ୨୦୦୯ ଓ ୨୦୧୪ ନିର୍ବାଚନ ଜିଣି ଜିଲ୍ଲାରେ ନିଜର ସ୍ବତନ୍ତ୍ର ପତିଆରା ସୃଷ୍ଟି କରିଛନ୍ତି। ସେହିପରି ବିଜେପିରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ସଂଗୀତା କୁମାରୀ ସିଂହଦେଓ। ସଂଗୀତା ମଧ୍ୟ ପୂର୍ବରୁ ଏଠାରୁ ବିଜୟୀ ହୋଇ ସାଂସଦ ହୋଇଛନ୍ତି। ଦିଅର-ଭାଉଜଙ୍କ ଏହି ଲଢ଼େଇ ଭିତରେ କଂଗ୍ରେସ ଏଥର ନୂଆ ତଥା ଯୁବ ଚେହେରା ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି।

ଆଉ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ବଏସପିର ରଣ ନାଗ, ଆମ୍ବେଦକ୍ରାଇଟ ପାର୍ଟି ଅଫ ଇଣ୍ଡିଆର ଦୀନେଶ ନାଗ, ବହୁଜନ ମୁକ୍ତି ପାର୍ଟିର ସୁରେଶ ପୁଟେଲ, ଏସୟୁସିଆଇର ହୃଦାନନ୍ଦ କରୁଆଁ ଓ ସ୍ୱାଧୀନ ପ୍ରାର୍ଥୀ ଡ.ବିପିନ କୁଶଲିଆ। ସମୁଦାୟ ୮ ପ୍ରାର୍ଥୀ ମୈଦାନରେ ଥିଲେ ହେଁ ଦିଅର-ଭାଉଜ ଲଢ଼େଇ ଚର୍ଚ୍ଚାରେ ରହିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲୋକସଭା ଅଧୀନସ୍ଥ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ଘନଘନ ଗସ୍ତ କରୁଛନ୍ତି। ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କ ସହ ପ୍ରଚାର ଚଳାଇଛନ୍ତି।

ଅନ୍ୟପକ୍ଷରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ବିଭିନ୍ନ ସ୍ଥାନରେ କିଛି ନୂଆ ମୁହଁ ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ବଲାଙ୍ଗୀର ବିଧାନସଭାରେ ଏଥର ଲଢ଼େଇ ଜୋରଦାର ହେଉଛି। ରାଜ ପରିବାର ହାତରୁ ଏହି ଆସନ ଗତ ନିର୍ବାଚନରେ ଖସିବା ପରେ ଏଥର ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ ଅର୍କେଶ ନାରାୟଣ ସିଂହଦେଓ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର ଏହି ଆସନରୁ ପୁଣି ଛିଡ଼ା ହୋଇଛନ୍ତି। ବିଜେପି ଏଠାରେ ଜଣେ ସମ୍ପୂର୍ଣ୍ଣ ନୂଆ ଚେହେରା ଅନନ୍ତ ଦାଶଙ୍କୁ ପ୍ରାର୍ଥୀ କରିଛି। ସେହିପରି ଲୋଇସିଂହା ସଂରକ୍ଷିତ ଆସନରେ ତିନି ପ୍ରମୁଖ ଦଳରେ ଏଥର ନୂଆ ଚେହେରା ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ବିଜେପି ଡ. ମୁକେଶ ମହାଲିଙ୍ଗଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରେ ନବକିଶୋର ନାଏକ ପ୍ରାର୍ଥୀ ହୋଇଛନ୍ତି।

ସେପଟେ ବିଜେପିର ଗଡ଼ କୁହାଯାଉଥିବା ପାଟଣାଗଡ଼ରେ ଏଥର କନକବର୍ଦ୍ଧନକୁ କଡ଼ା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସରୋଜ ମେହେର। ସେହିପରି କଣ୍ଟାବାଞ୍ଜିରେ ବିଜେଡି ନୂଆ ମୁହଁ ଅଜୟ ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ କିନ୍ତୁ ପୁରୁଖା ନେତା ସନ୍ତୋଷ ସିଂ ସାଲୁଜାଙ୍କୁ ପୁଣି ପ୍ରାର୍ଥୀ କରିଛି। ଲକ୍ଷ୍ମଣ ବାଗ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି। ଟିଟିଲାଗଡରେ ବିଧାୟିକା ଟୁକୁନୀ ସାହୁ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଅଶୋକ ଦୋରା ଓ କଂଗ୍ରେସରୁ ସୁରେନ୍ଦ୍ର ସିଂଭୋଇ ଛିଡ଼ା ହୋଇଛନ୍ତି। ତେଣୁ ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ସ୍ପଷ୍ଟ ହୋଇଯାଇଛି।