ମନାଇବାକୁ ‘ରାଜ୍ୟସଭା’ କାର୍ଡ: ବିଧାନ ପରିଷଦ ଓ ନିଗମକୁ ନେଇ ବି ଅଙ୍କକଷା, ସରୋଜିନୀଙ୍କ ସମେତ ମଇଦାନରେ ୬ ସାଂସଦ

Advertisment
ମନାଇବାକୁ ‘ରାଜ୍ୟସଭା’ କାର୍ଡ: ବିଧାନ ପରିଷଦ ଓ ନିଗମକୁ ନେଇ ବି ଅଙ୍କକଷା, ସରୋଜିନୀଙ୍କ ସମେତ ମଇଦାନରେ ୬ ସାଂସଦ

କନକ ବ୍ୟୁରୋ: ବିଜୁ ଜନତା ଦଳ ଗତକାଲି ବାରିପଦା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଭରସା କରିନପାରି, ଏଥର ପାଇଁ ତାଙ୍କ ଟିକେଟ୍ କାଟି ଦେଇଛନ୍ତି। ସେ ଆସନରୁ ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍ ବିଜେଡି ପ୍ରାର୍ଥୀ ଭାବେ ଲଢିବେ।

publive-image

ଏହାକୁ ମିଶାଇ ମୋଟ ୬ଜଣ ରାଜ୍ୟସଭା ସାଂସଦଙ୍କୁ ନବୀନ ଏଥର ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେହିଭଳି ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ ଓ ସରୋଜିନୀ ହେମ୍ବ୍ରମ୍ ବିଧାନସଭା ଆସନରେ ଲଢୁଛନ୍ତି। ଏଭଳି ଗୋଟିଚାଳନାରେ ବିଜେଡି ସର୍ବକାଳୀନ ରେକର୍ଡ ଅତିକ୍ରମ କରିଛି। ବର୍ତମାନ ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି। ଜଣେ ସାଂସଦ କେବଳ କଂଗ୍ରେସର।

publive-image

୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେଡି ପ୍ରଥମ ଦାବିଦାର ଦଳ ଥିଲା। ଏଣୁ ସ୍ବାଭାବିକ ଭାବେ ଟିକେଟ୍ ଆଶାୟୀଙ୍କ ସଂଖ୍ୟା ବଢିଯାଇଥିଲା। ଯେଉଁମାନେ ଟିକେଟ୍ ପାଇନାହାନ୍ତି, ସେମାନଙ୍କ ମଧ୍ୟରୁ କିଛି ନେତା ନୀତି, ଆଦର୍ଶକୁ ଜଳାଞ୍ଜଳି ଦେଇ ପ୍ରତିପକ୍ଷ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଆଉ କିଛି ଦଳ ଡେଇଁଛନ୍ତି, ହେଲେ ପ୍ରାର୍ଥୀ ହେବା ପାଇଁ ତଥାପି ସୁଯୋଗ ନାହିଁ। ଅନୁରୂପ ଭାବେ କେଂଗ୍ରସ ଓ ବିଜେପିରୁ କିଛି ନେତା ମଧ୍ୟ ବିଜେଡିକୁ ଆସିଛନ୍ତି। ହେଲେ ଟିକେଟ୍ ନ ପାଇ ତଥାପି ବିଜେଡିରେ ରହିଥିବା ଓ ଶେଷ ମୁହୂର୍ତରେ ନିଜ ଦଳ ଛାଡି ନବୀନଙ୍କୁ ସଶକ୍ତ କରିଥିବା ନେତାଙ୍କୁ ବିଜେଡି ନେତୃତ୍ବ କିଭଳି ଥଇଥାନ ଓ ସନ୍ତୁଷ୍ଟ କରୁଛନ୍ତି, ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆେଲାଚନା ଜୋର ଧରିଛି। ବର୍ତମାନର ରାଜନୈତିକ ଚିତ୍ରକୁ ଦେଖି କେହି କେହି ୧୯୯୫ ମସିହାର ପୁନରାବୃତ୍ତି ହେବ ବୋଲି କହୁଥିଲେ ହେଁ, ନବୀନଙ୍କ ରାଜ୍ୟସଭା ଗୋଟିଚାଳନା ଏବେ ଏ କ୍ଷେତ୍ରରେ ଏକ ବଡ କାର୍ଡ ହେବ।

publive-image

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୪ ନିର୍ବାଚନ ସମୟରେ ତତ୍କାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଶେଷ ମୁହୂର୍ତରେ ସରକାରୀ ଦଳ ବିଜେଡିର ହାତ ଧରିଥିଲେ। ନିର୍ବାଚନ ମଇଦାନରେ ସେ ସମ୍ମୁଖ ଯୁଦ୍ଧକୁ ଆସିନଥିଲେ ହେଁ ପରବର୍ତୀ ସମୟରେ ନବୀନ ତାଙ୍କୁ ରାଜ୍ୟସଭା ପଠାଇଥିଲେ। ୨୦୧୯ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇପାରେ। ଏଯାଏ ୨ଜଣ ବରିଷ୍ଠ ନେତାଙ୍କୁ ନବୀନ ରାଜ୍ୟସଭା ଆଶା ଦେଖାଇଛନ୍ତି। ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ କହିଛନ୍ତି। ଏମାନଙ୍କ ବ୍ୟତୀତ ବିଜେପିରୁ ଆସିଥିବା ସୁବାସ ଚୌହାନ ଆଦିଙ୍କୁ ମଧ୍ୟ ନବୀନ ରାଜ୍ୟସଭା ପଦବି ଦେଇପାରନ୍ତି। ଅବଶ୍ୟ ବିଜେଡି ଯଦି ବର୍ତମାନ ଭଳି ସଂଖ୍ୟା ହାସଲ କରେ, ତେବେ ଯାଇ ସମୁଦାୟ ଆସନକୁ ବ୍ୟବହାର କରିପାରିବ। ଅନ୍ୟଥା ଏଥିରୁ ବିରୋଧୀ ଭାଗ ବସାଇବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe