କନକ ବ୍ୟୁରୋ: ଏଥର ନିର୍ବାଚନ ଋତୁରେ ନେତାଙ୍କ ଦଳବଦଳ ରେକର୍ଡ ଭାଙ୍ଗିଛି। ଗଞ୍ଜାମ ଜିଲ୍ଲାରେ ଡଜନେରୁ ଅଧିକ ନେତା ଦଳ ବଦଳାଇଛନ୍ତି। ରାଜ୍ୟରେ ଏହି ସ˚ଖ୍ୟା ଶହେ ଟପିଛି। ହେଲେ ଦଳବଦଳ କରୁଥିବା ନେତା ଅନ୍ୟ ଦଳକୁ ଯାଇଥିଲେ ମଧ୍ୟ ପୁରୁଣା ଅଭ୍ୟାସ କାରଣରୁ ଭାଷଣ ଦେବା ବେଳେ ହଡ଼ବଡ଼େଇବା କେତେକ ରୋଚକ ଘଟଣା ନଜରକୁ ଆସିଛି। ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୩ ଜଣ ନେତାଙ୍କ ଭାଷଣରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି।

Advertisment

ଗତ ୧ ତାରିଖରେ ଗୋପାଳପୁର ନିର୍ବାଚନମଣ୍ତଳୀର ରଣ୍ଢା ଠାରେ ବିଜେଡିର ନିର୍ବାଚନ ପ୍ରଚାର ଚାଲିଥିଲା। ରଣ୍ଢା ଛକରେ ଆୟୋଜିତ ପଥପ୍ରାନ୍ତ ସଭାରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ତଥା ବିଜେଡି ନେତା ଯୋଗ ଦେଇ ଗୋପଳପୁର ବିଜେଡିର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଥିଲେ। ସେ ଭାଷଣ ଦେବା ବେଳେ କହୁ କହୁ ବିଜେଡି ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାନ୍ତୁ ବୋଲି କହି ଦେଇଥିଲେ। ଏହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଥିଲା। ଦୁଇ ଦିନ ତଳୁ କ˚ଗ୍ରେସ ଛାଡ଼ି ବିଜେଡିକୁ ଆସିଥିଲେ ଅଲେଖ ବାବୁ। ହେଲେ ହାତ ଚିହ୍ନ ଏ ଯାଏଁ ଭୁଲି ପାରୁ ନ ଥିବା ଚର୍ଚ୍ଚା ଧରିଥିଲା ।

ଗତ ଶନିବାର ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବପୁଆ ବିବେକ ବିହାରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ହୋଇଥିଲା। ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାର କାର‌୍ୟ୍ୟକ୍ରମ ଥିଲେ ମଧ୍ୟ ସେ ଆସି ନଥିଲେ। ସମାବେଶରେ ଉପସ୍ଥିତ ବିଜେପି ପ୍ରାର୍ଥୀ ଏବ˚ ସ୍ଥାନୀୟ ଅଞ୍ଚଳର ନେତା ଉଦ୍ବୋଧନ ଦେଉଥିଲେ। ଏଠାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଛତ୍ରପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପ୍ରଶାନ୍ତ କର ବକ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ଉପସ୍ଥିତ ଅତିଥି ଓ କର୍ମୀଙ୍କୁ ସମ୍ବୋଧନ କରିଥିଲେ। ଏତିକି ବେଳେ ବିନା ଦ୍ବିଧାରେ ତାଙ୍କ ସମ୍ବେଧନ ଆରମ୍ଭ କରିଥିଲେ-ମୋ ପ୍ରିୟ ବିଜେଡି କର୍ମୀ। ସଙ୍ଗେ ସଙ୍ଗେ ହଡ଼ବଡଡ଼ଇ ଯାଇ ଥତମତ ହୋଇଥିଲେ। ‘ସରି’ କହି ମୋ ପ୍ରିୟ ବିଜେପି କର୍ମୀମାନେ ବୋଲି କହି ନିଜକୁ ସଂଶୋଧନ କରିଥିଲେ। ଏହି ଘଟଣା ସଭା ସ୍ଥଳରେ ପ୍ରବଳ ହାସ୍ୟରୋଳ ସୃଷ୍ଟି କରିଥିଲା। ପ୍ରଶାନ୍ତ ଠିକ୍ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଓ ଟିକେଟ ପାଇଲେ। ନେତାମାନେ ନିଜ ସ୍ବାର୍ଥ ପାଇଁ ଦଳବଦଳ କରୁଥିଲେ ହେଁ ପୁରୁଣା ଦଳକୁ ଭୁଲିପାରୁ ନ ଥିବା ସଭାସ୍ଥଳରେ ଚର୍ଚ୍ଚା ଧରିଥିଲା।

ସେହିପରି ରବିବାର ପୋଲସରାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଉପସ୍ଥିତ ଥିଲେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହିଞ୍ଜିଳି ପ୍ରାର୍ଥୀ ଅଇନଜୀବୀ ପୀତାମ୍ବର ଆଚାର‌୍ୟ୍ୟଙ୍କ ସମେତ ଅଦନକ ତୁଙ୍ଗ ନେତା। ପୀତାମ୍ବର ଭାଷଣରେ କହୁ କହୁ ହାତ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରି ଦେଇଥିଲେ। ଏହାପରେ ସେ ଥତମତ ହୋଇ ତତ୍କ୍ଷଣାତ୍ ନିଜକୁ ସଂଶୋଧନ କରିଥିଲେ। ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଭାଷଣ ଦେବା ବେଳେ ଅଭିଜ୍ଞ ଓ ଶିକ୍ଷିତ ନେତାମାନେ ହାମ୍ବଡ଼େଇ ହେବା ଘଟଣା ଏ ଗୋଟିଏ କି ଦୁଇଟି ନୁହେଁ। କିଛି ଦିନ ତଳେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ମଧ୍ୟ କହୁ କହୁ କହି ଦେଇଥିଲେ, ଏଠି ବୋମା ନ ଫୁଟୁ, ଏଠି ଗୁଳି ନ ଫୁଟୁ ଏବ˚ ଏଠି କେବଳ ଶଙ୍ଖ ଫୁଟୁ। ଏହା ମଧ୍ୟ ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇଥିଲା।