କନକ ବ୍ୟୁରୋ: ଦିନ କେଇଟା ପରେ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ମାଗୁଥିଲା ବେଳେ ନିଜ ବଳରେ ସ୍ବାଧୀନ ପ୍ରାର୍ଥୀମାନେ ଲଢ଼େଇ ଜାରି ରଖିଛନ୍ତି। ପ୍ରଚାର ମଇଦାନରେ ନେତାମାନେ ନିତି ମୁହାଁମୁହିଁ ହେଉଥିଲେ ମଧ୍ୟ କାହା ସ୍ଥିତି କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। କେତେବେଳେ କାହାର ପଲା ଭାରି ହେଲା ବେଳକୁ ପରଦିନ ଚିତ୍ର ବଦଳି ଯାଉଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହେଉଥିବାରୁ ଏମିତି ସ୍ଥିତି ହୋଇଥିବା ଅନୁମାନ କରୁଛନ୍ତି ପର୍ଯ୍ୟବେକ୍ଷକ। ପୁଣି ଏଥର ବିଏସପି ବଳ ବଢ଼ାଇ ଲଢ଼େଇ କରୁଥିବାରୁ ଗଣିତ ଗୋଳିଆ ହୋଇ ଯାଇଛି।

Advertisment

publive-image image courtesy - updateodisha.com

ଗତ ଦୁଇଟି ନିର୍ବାଚନକୁ ବିଶ୍ଳେଷଣ କଲେ କୋରାପୁଟ ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିଲା। କିଛି କିଛି ସ୍ଥାନରେ ବିଜେପି ଭୋଟ ନେଉଥିଲେ ମଧ୍ୟ ଲଢ଼େଇକୁ ଆସୁ ନ ଥିଲା। ଦୁଇଟି ଦଳ ଭିତରେ ମୁଖ୍ୟତଃ ଲଢ଼େଇ ହେଉଥିବାରୁ ନିର୍ବାଚନ ପୂର୍ବରୁ ହାୱା ଓ ଜନମତ ଜଣା ପଡ଼ୁଥିଲା। କାହା ସପକ୍ଷରେ କେତେ ଲୋକ ଅଛନ୍ତି କିଛି ଅନୁମାନ କରି ହେଉଥିଲା। ଏବେ କିନ୍ତୁ ସେ ସ୍ଥିତି ଆଉ ନାହିଁ। ବିଜେପି ଏ ଭିତରେ ଶକ୍ତି ବୃଦ୍ଧି କରିଛି। ବିଜେଡିର କିଛି ନେତା ବିଜେପିରେ ମିଶିଥିଲା ବେଳେ ମୋଦୀ ହାୱା ଦଳ ପାଇଁ ସହାୟକ ହେବ ବୋଲି ସମର୍ଥକ କହୁଛନ୍ତି। ଏଭଳି ସ୍ଥିତିରେ ବିଜେଡି ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ପୂରା ଦଳବଳ ଲଗାଇ ଦେଇଛି ବିଜେପି। ତେଣୁ ଜିଲ୍ଲାର ସମସ୍ତ ୫ଟି ଯାକ ଆସନରେ ବିଜେପି ଏଥର କଡା ଫାଇଟ ଦେବ।

publive-imagehttps://kalingatv.com

ବିଜେପିର ଶକ୍ତି ବୃଦ୍ଧି ହୋଇଥିଲେ ମଧ୍ୟ ବିଜେଡି ଓ କଂଗ୍ରେସ ପରି ତାଙ୍କର କର୍ମୀ ନାହାନ୍ତି। ବିଜେଡିରେ କର୍ମୀଙ୍କ ସଂଖ୍ୟା ଅଧିକ ଥିଲା ବେଳେ କଂଗ୍ରେସର ପାରମ୍ପରିକ ଭୋଟ ରହିଛି। ଏମିତି ସ୍ଥିତିରେ ଲକ୍ଷ୍ମୀପୁର ଆସନରେ ବିଏସପି ପ୍ରାର୍ଥୀ ଅନୀତା ସଗରିଆ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ସେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ପତ୍ନୀ ହୋଇଥିଲା ବେଳେ ବିଏସପିର କିଛି ପକେଟ ଭୋଟ ରହିଛି। ଏପଟେ କୃଷ୍ଣ ଏହି ଆସନ ଉପରେ ଫୋକସ କରୁଛନ୍ତି। ଫଳରେ ଏହି ଆସନରେ ଚତୁଃର୍ମୁଖୀ ଲଢେଇ ହେଉଛି। ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା, ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀ ଓ ବିଜେପି ପ୍ରାର୍ଥୀ କୁମୁଦ ସାଉଁତାଙ୍କ ସହ ତାଳ ଦେଇ ସଗରିଆ ପ୍ରଚାର କରିବା ସହ ଲଢ଼େଇ କରୁଥିବାରୁ ଏଠାରେ କିଛି ବି ହୋଇପାରେ ବୋଲି ଅନୁମାନ କରାଯାଉଛି। କୋରାପୁଟ ଆସନରେ ବିଜେଡିର ରଘୁରାମ ପଡାଲ, କଂଗ୍ରେସର କୃଷ୍ଣ କୁଲଦୀପ ଓ ବିଜେପିର ତ୍ରିପୁରାରି ଗରଡାଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେଉଛି। ବିଜେପି ସହରୀ ଭୋଟ ଉପରେ ଭରସା କରିଥିଲା ବେଳେ ବିଜେଡି ଗାଁକୁ ଗୁରୁତ୍ବ ଦେଇଛି। କଂଗ୍ରେସ ତା’ ପାରମ୍ପରିକ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ରହିଛି। ପଟାଙ୍ଗୀ ଆସନରେ କଂଗ୍ରେସର ରାମ କାଡାମ ଓ ବିଜେଡିର ପୀତମ ପାଢୀଙ୍କ ମଧ୍ୟରେ ଲଢେଇ ହେଉଛି। ହେଲେ ଏଠାରେ ମଧ୍ୟ ବିଜେପି ଓଲଟ ପାଲଟ କରିବା ଲକ୍ଷ୍ୟରେ ରହିଛି।

publive-image

ଏପଟେ ସ୍ବାଧୀନ ପ୍ରାର୍ଥୀ ନନ୍ଦିବାଲି ଚୈତନ୍ୟ ସବୁକିଛି ଗଡବଡ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଜୟପୁର ଆସନରେ ତାରା-ରବି ଲଢ଼େଇରେ ଯୁବ ଚେହେରା ଭାବେ ମଇଦାନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ କଡା ଚ୍ୟାଲେଞ୍ଜ ଦେଉଛନ୍ତି। ଏହି ଆସନରେ ୩ ଦଳର ଭୋଟ ବିଭାଜନ ହେବା ପ୍ରାୟ ନିଶ୍ଚିତ ଥିଲା ବେଳେ ଏଥିରୁ କାହାକୁ ଫାଇଦା ମିଳିବ ତାହା ସ୍ପଷ୍ଟ ହେଉନି। ପୁଣି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଜୟପୁର ଆସନରୁ ପ୍ରାର୍ଥୀ ହୋଇଥିବାରୁ ଜୟପୁର ରାଜନୀତି ଜଟିଳ ହୋଇଯାଇଛି।

publive-image

କୋଟପାଡ ଆସନଟି ଆଗରୁ କଂଗ୍ରେସର ଗଡ ରହିଥିଲା ବେଳେ ଏଥର ଇତିହାସ ବଦଳାଇବା ଲକ୍ଷ୍ୟରେ ରହିଛି ବିଜେଡି। ପୁଣି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ଲୋକଙ୍କୁ ଆକର୍ଷିତ କରିଛି। କିନ୍ତୁ କଂଗ୍ରେସ ପକେଟ ଭୋଟ ନେଇ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଆଶା କରୁଛି। ଏପଟେ ବିଜେପି ପ୍ରାର୍ଥୀ ଖଗେଶ୍ବର ପୂଜାରୀ ମଧ୍ୟ ଜୋରଦାର ଲଢେଇ ଜାରି ରଖିଛନ୍ତି। ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା କ୍ଷେତ୍ରରେ ଏଥର କଡା ମୁକାବିଲା ହେଉଥିଲା ବେଳେ ଭୋଟରମାନେ ନୀରବ ଅଛନ୍ତି। ସେମାନେ ବିଭିନ୍ନ ଦଳ ଓ ନେତାଙ୍କୁ ପରଖୁଥିବା ବେଳେ କୌଣସି ହାୱା ସୃଷ୍ଟି ହୋଇନି। ତେଣୁ ଆସନ୍ତା ଦୁଇଦିନ ନିର୍ବାଚନ ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।