କନକ ବ୍ୟୁରୋ: ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା କାକଟପୁର ବିଧାନସଭା ଆସନରେ ଏଥର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଦଳ ବଦଳାଇଥିବା ନେତା ବିଜେଡି ଓ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବାରୁ ଏଠାରେ ଭୋଟ ବିଭାଜନର ଆଶଙ୍କା ରହିଛି । ପ୍ରାର୍ଥୀଙ୍କ ଜିତିବା ବାଟରେ ଏହା ପ୍ରତିବନ୍ଧକ ସାଜିବାର ସମ୍ଭାବନା ରହିଛି । ବିଶେଷ କରି ଶଂଖ ଓ ପଦ୍ମର ଲଢେଇ ଭିତରେ ହାତ ଫାଇଦା ଅପେକ୍ଷାରେ ରହିଛି ।
କାକଟପୁର ନିର୍ବାଚନୀମଣ୍ଡଳୀରୁ ବିଜେଡି ପ୍ରଥମେ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ ଦେଇଥିଲା । କିନ୍ତୁ ଏଠାରୁ ବିଜେପି ଟିକଟ ପାଇଥିବା ତୁଷାରକାନ୍ତି ବେହେରା ଟିକଟ ଫେରାଇବା ସହିତ ବିଜେଡିରେ ମିଶିଥିଲେ । ଏଠାରୁ ସୁରେନ୍ଦ୍ର ସେଠୀ ନାମାଙ୍କପତ୍ର ଦାଖଲ କରିବାକୁ ଯିବାବେଳେ ବିଜେଡି ତାଙ୍କୁ ମନା କରିଦେବା ସହିତ ତାଙ୍କ ସ୍ଥାନରେ ତୁଷାରଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ଏଠାରୁ ବିଜେଡି ପାଇଁ ଟିକଟ ଆଶାୟୀ ଥିବା ପୂର୍ବତନ ବିଧାୟକ ରବି ମଲ୍ଲୀକ ବିଫଳ ହେବାରୁ ଶେଷ ମୁହୂର୍ତ୍ତରେ ବିଜେପିରେ ମିଶି ଏ ଦଳରୁ ଲଢୁଛନ୍ତି । ଦଳ ବଦଳାଇଥିବା ନେତାଙ୍କୁ ବିଜେଡି ଓ ବିଜେପି ପ୍ରାଧାନ୍ୟ ଦେବାରୁ କାକଟପୁର ରାଜନୀତି ସମୀକରଣ ବଦଳିଯାଇଛି । ଏବେ ଉଭୟ ବିଜେଡି ଓ ବିଜେପିର ମୂଳ ଆଶାୟୀ ପ୍ରାର୍ଥୀ ଟିକଟରୁ ବଂଚିତ ହେବା ପରେ ସେମାନଙ୍କ ଭିତରେ ଦେଖାଦେଇଥିବା ବିଦ୍ରୋହ ଏବେ ବି ପ୍ରଶମିତ ହୋଇନାହିଁ କିମ୍ବା ପ୍ରଚାରରେ ସେମାନଙ୍କ ଭିତରେ ତତ୍ପରତା ଦେଖିବାକୁ ମିଳିନି ।
ବିଶେଷ କରି ବିଜେଡିରୁ ନୂଆ ପ୍ରାର୍ଥୀ ହୋଇଥିବା ତୁଷାର ଏବେ ସୁର ସେଠୀଙ୍କ ସମର୍ତକଙ୍କ ଆଡୁ ଅଡୁଆ ପରିସ୍ଥିତିର ସାମ୍ନା କରୁଛନ୍ତି । ୨୦୦୯ରୁ ସୀମା ପୁନଃ ନିର୍ଧାରଣ ପରେ ପୂର୍ବରୁ ଏ ଆସନରୁ ଜିତି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥନା.କ ଆଉ ଟିକଟ ପାଇବା ସମ୍ଭବ ହୋଇନାହିଁ । କିନ୍ତୁ ଏହି ନିର୍ବାଚନୀ ମଣ୍ଡଳୀ ଉପରେ ତାଙ୍କର ପ୍ରଭାବ ରହିଛି ଏବଂ ଦଳୀୟ ପ୍ରାର୍ଥୀଙ୍କ ହାରଜିତ ଅନେକାଂଶରେ ତାଙ୍କ ସମର୍ଥନ ଉପରେ ନିର୍ଭର କରୁଛି । ହେଲେ ଶ୍ରୀ ନାୟକ ଏବେ ଅସୁସ୍ଥ । ଏଥର ବିଜେଡି ପ୍ରାର୍ଥୀ ବଦଳାଇବାରେ ଶ୍ରୀ ନାୟକଙ୍କ ଦବଦବା ଥିଲା ଓ ତାଙ୍କ ସମର୍ଥକଙ୍କୁ ହିଁ ଏଠାରୁ ପ୍ରାର୍ଥୀ କରାଯାଇଥିବା କୁହାଯାଉଛି । ତେବେ ସେ ଅସୁସ୍ଥ ଥିବାରୁ ତାଙ୍କ ପୁଅ ଦଳବଳ ଧରି ତୁଷାରଙ୍କୁ ଜିବାଇବା ଦିଗରେ ଅଭିଯାନ ଚଳାଇଛନ୍ତି ।
ସେପଟେ ସୁର ନାୟକଙ୍କ ବିରୋଧରେ ତିନି ଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସତ୍ୟବ୍ରତ ପାତ୍ର (ରମୁ) ଯଦିଓ ଗତ ଦୁଇଟି ନିର୍ବାଚନରେ ନିମାପଡ଼ାରୁ କଂଗ୍ରେସ ଟିକେଟ୍ରୁ ଲଢ଼ିଛନ୍ତି କିନ୍ତୁ ତାଙ୍କର ମୂଳ ସଂଗଠନ କାକଟପୁରରେ ଅଛି। ବିଗତ ନିର୍ବାଚନରେ କାକଟପୁରରେ କଂଗ୍ରେସ ପ୍ରାର୍ଥୀ ଅଧିକ ଭୋଟ୍ ପାଇବାରେ ରମୁ ପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ସମର୍ଥନ ବି ପ୍ରାର୍ଥୀ ଲୋଡ଼ୁଛନ୍ତି। ହେଲେ କଂଗ୍ରେସର ଏହି ବରିଷ୍ଠ ନେତା ନିକଟରେ ବିଜେଡିେର ମିଶିଥିବାବେଳେ ସେ କାକଟପୁରରେ ବିଜେଡି ନା କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ତାହା ଉପରେ ନଜର ରହିଛି।
ତୁଷାରକାନ୍ତି ବେହେରା ବିଜେପି ଟିକେଟରୁ ୨୦୦୯ରେ ଲଢ଼ି ହାରି ଥିବାବେଳେ ଏଥର ବିଜେପି ଟିକେଟ୍ ପାଇବା ପରେ ଫେରାଇଦେଇଥିଲେ। ଆଉ ବିଜେଡି ଟିକେଟରୁ ଲଢ଼ୁଛନ୍ତି। ତେଣୁ ବିଜେପି କର୍ମୀମାନେ ବି ତାଙ୍କୁ ପ୍ରତ୍ୟାଖାନ କରୁଥିବା କୁହାଯାଉଥିବାବେଳେ ତୁଷାରକାନ୍ତିଙ୍କ ସମର୍ଥକଙ୍କ ହିସାବ କହୁଛି ଯେ, ସେ ବିଜେଡି ସମେତ ବିଜେପିର ବହୁ ଭୋଟ୍ ପାଇବେ। ଯାହା ତାଙ୍କ ବିଜୟକୁ ସହଜ କରିବ।
ଏପଟେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ରାଜଶ୍ରୀ ମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀସ୍ଥିତ ପାଟପୁରର ଝିଅ ହୋଇଥିବାରୁ ସେ ବି ଏହି ନିର୍ବାଚନ ମଣ୍ଡଳୀରେ ଅଧିକ ଭୋଟ୍ ପାଇବା ପାଇଁ ଜୋରଦାର ପ୍ରଚାର କରିଥିଲେ।କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁ ତରାଇ ଏବଂ ରାଜଶ୍ରୀ ମଲ୍ଲିକ ସେମାନଙ୍କ ସମର୍ଥକଙ୍କୁ ନେଇ ପ୍ରଚାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/KAKATPUR-1.jpg)
/kanak/media/post_attachments/wp-content/uploads/2019/04/58444869_2707717745926423_4808035615209684992_n-300x169.jpg)