ପାଟକୁରାକୁ ନେଇ ଭିନ୍ନ ଚର୍ଚ୍ଚା: ମୋର୍ଚ୍ଚା ଧରି ଗଡ଼ ଜଗିଛି ବିଜେଡି, ସେତିକି ସକ୍ରିୟ ନାହିଁ ରାଜ୍ୟ ବିଜେପି

312

କନକ ବ୍ୟୁରୋ: ମାସାଧିକ ଧରି ଜାରି ରହିଥିବା ନିର୍ବାଚନ ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଆସନ୍ତା ୧୯ ତାରିଖ ଦିନ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ଓଡ଼ିଶାର ୩୪ଟି ବୁଥରେ ସେହିଦିନ ସାନି ମତଦାନ ପାଇଁ ଭାରତର ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ହେଲେ ଆସନ୍ତା ୨୩ ତାରିଖ ଦିନ ଭୋଟଗଣତି ହୋଇ ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବା ବେଳେ ଏକମାତ୍ର ବିଧାନସଭା କ୍ଷେତ୍ର ଅର୍ଥାତ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନ ରହିଯିବ, ଯେଉଁଠାରେ ଲୋକପ୍ରତିନିଧି କେହି ନିର୍ବାଚିତ ହୋଇନଥିବେ। କାରଣ ଏଠାରେ ଏଯାଏ ଭୋଟ ଗ୍ରହଣ ହୋଇପାରିଲା ନାହିଁ।

ଦିବଂଗତ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଵାଲଙ୍କ ସ୍ଥାନରେ ଦଳ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲଙ୍କୁ ପ୍ରାର୍ଥୀ କରିଛି ଓ ସେ ଗତ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ତଥାପି ଏହି ଆସନ ଲାଗି ମତଦାନ କେବେ ହେବ, ତାହା ଏବେଠାରୁ ଆକଳନ କରିବା ମଧ୍ୟ ମୁସ୍କିଲ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ ଆଳରେ ନିର୍ବାଚନ କମିସନ ମେ’୧୯ ତାରିଖରେ ହେବାକୁ ଥିବା ଏହି ଆସନ ଲାଗି ଭୋଟଗ୍ରହଣକୁ ୨ମାସ ଯାଏ ଘୁଞ୍ଚାଇ ଦେଇଛନ୍ତି। ଏହା ମଧ୍ୟରେ ଯେ କୌଣସି ସମୟରେ ମତଦାନ ହୋଇପାରେ ବା ନିର୍ବାଚନ କମିସନ ବିଳମ୍ବ କରିପାରନ୍ତି।

ପୁଣି ଏକୁଟିଆ ହୋଇଗଲେ ବିଜୟ ଦିଲ୍ଲୀ ଯିବେ, କେନ୍ଦ୍ର ନେତାଙ୍କୁ ଭେଟିବେ

ବିଜୁ ଜନତା ଦଳ ଏହି ଆସନକୁ ହାତେଇବା ଲାଗି ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି। ବିଜେପୁର ଉପନିର୍ବାଚନ ପରିଚାଳନାରେ ସାମିଲ ଥିବା ଅଧିକାଂଶ ନେତାଙ୍କୁ ପାଟକୁରା ଆସନ ଲାଗି ଦଳ କାମରେ ଲଗାଇ ସାରିଲାଣି। କେନ୍ଦ୍ରାପଡାରେ ରହି ଏମାନେ ପାଟକୁରା ନିର୍ବାଚନମଣ୍ଡଳୀରେ ଗୋଟିଚାଳନା କରୁଛନ୍ତି। ଏହି ଆସନର ୫୧ ପଞ୍ଚାୟତରେ ସଂଗଠନ ସଜାଡୁଛି ଦଳ। ଯେଉଁମାନେ ଗତ ଦିନରେ ମୁହଁ ମୋଡି ବିଜେପି ଆଡକୁ ଆଉଜିଥିଲେ, ସେମାନଙ୍କୁ ବୁଝାଇ ସୁଝାଇ ପୁଣି ଥରେ ଘର ବାହୁଡା କାର୍ଯ୍ୟକ୍ରମ ଜାରି ରହିଛି। ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ ଯୋଗାଣ ଆଳରେ ଦଳୀୟ ନେତାମାନେ ଲୋକଙ୍କ ମନ କିଣିବାକୁ ଉଦ୍ୟମ ଚଳାଇଛନ୍ତି।

ଏହି ଆସନରେ ସାବିତ୍ରୀ ଅଗ୍ରଵାଲଙ୍କ ସହିତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ସିଧାସଳଖ ଲଢେଇ ହେଉଛି। କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ବିଜେଡି ବିଜୟ ମହାପାତ୍ରଙ୍କ ଟିକେଟ୍ କାଟିବା ପରଠାରୁ ତାଙ୍କୁ ଆଉ ବିଧାନସଭା ପ୍ରବେଶ ପାଇଁ ସୁଯୋଗ ଦେଉନାହିଁ। ସେଥିପାଇଁ ସବୁସ୍ତରରେ ଦଳ ମୁକାବିଲା କରି ଆସିଛି। ଏଥର ବେଦ ପ୍ରକାଶଙ୍କ ଅବର୍ତମାନରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ଲୋକଙ୍କ ଅନୁକମ୍ପା ମିଳିବ ନା ଦୀର୍ଘ ୧୯ ବର୍ଷ ଧରି ବିଧାନସଭା ପ୍ରବେଶ କରିପାରୁନଥିବା ବିଜୟ ଭୋଟରଙ୍କ ଅନୁକମ୍ପା ଗୋଟାଇବେ, ତାହା ପାଟକୁରା ନିର୍ବାଚନରେ ପରୀକ୍ଷା ନିରୀକ୍ଷା ହେବ। ଖାସ୍ ଏଥିପାଇଁ ଏହି ଆସନର ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି।

କାରଣ ମୁହଁଫୁଲାଇ ବିଜୟ ବିଜେପି ଛାଡିଥିଲେ, ହେଲେ ଶେଷ ମୁହୂର୍ତରେ ଦଳ ତାଙ୍କୁ ପୁଣି ଥରେ ଘରକୁ ଫେରାଇ ଆଣି ପ୍ରାର୍ଥୀ କରିଛି। ଏଣୁ ଏଥର ବିଜୟଙ୍କ ପାଇଁ ଚ୍ୟାଲେଞ୍ଜ ଅଧିକ ଓ ବିଜେପି ପାଇଁ ବି। କୌତୂହଳର କଥା ହେଲା, ବିଜୟଙ୍କ ସହିତ ଏଥର ଲଢେଇରେ ବିଜେପି ରହିବ ନା ପୁଣି ଥରେ ସେ ଗତଦିନର ନିର୍ବାଚନ ଭଳି ଏକୁଟିଆ ହୋଇଯିବେ, ତାହା ବଡ଼ ପ୍ରଶ୍ନ େହଲାଣି। କାରଣ, ଗୋଟିଏ ପଟେ ବିଜେଡି ପାଟକୁରା ଦଖଲ ଲାଗି ପ୍ରାଣାନ୍ତକ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ ବିଜୟଙ୍କ ଲାଗି ବିଜେପି ଅଣ୍ଟାଭିଡିବା ଭଳି କୌଣସି ବି ନିଷ୍ପତ୍ତି ନେଇନାହିଁ। ବିଜେଡି ଭଳି ବିଜେପିର ରାଜ୍ୟସ୍ତରୀୟ ଶୀର୍ଷ ନେତାମାନେ ସେଠାରେ ଡେରା ପକାଇବା ତ ଦୂରର କଥା ନିର୍ବାଚନମଣ୍ଡଳୀ ମାଡ଼ୁନାହାନ୍ତି।

ଏମିତି ସମୟରେ ଏବେ ଫୋନି ନି ବିଜେଡି-ବିଜେପିକୁ ନିକଟତର କରିଛି। ଏହାର ପାଟକୁରା ଉପରେ କି ପ୍ରଭାବ ରହିବ, ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ତର୍ଜମା ଚଳାଇଛନ୍ତି। ୨୦୦୯ ପୂର୍ବରୁ ବିଜୟଙ୍କ ସହିତ ଥିବା ଏନସିପିର ଟାଣୁଆ ନେତାମାେନ ଶେଷ ମୁହୂର୍ତରେ ବିଜେଡିରେ ସାମିଲ ହୋଇଥିଲେ। ବାଧ୍ୟ ହୋଇ ଏନସିପି ଛାଡିଥିଲେ ବିଜୟ। ୨୦୧୪ରେ ସମୀକରଣ କଣ ହେଲା କେଜାଣି, ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଆସନ ଲାଗି ପ୍ରଚାର କରିବାକୁ ଜଣେ ବି କେନ୍ଦ୍ରୀୟ ନେତା ଆସିଲେନି। ସେ ସମୟରେ ସୁଷମା ସ୍ବରାଜଙ୍କ କାର୍ଯ୍ୟକ୍ରମ ବି ବାତିଲ ହୋଇଥିଲା। ଏବେ ରାଜ୍ୟ ରାଜନୀତିରେ ଦେଖା ଯାଉଥିବା ନୂଆ ସମୀକରଣ ୨୦୧୪ର ପୁନରାବୃତ୍ତି କରିବନି ତ? ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପିର ଏଭଳି ହାବଭାବ ଦେଖି ଚିନ୍ତାରେ ପଡିଛନ୍ତି ବିଜୟ। ରାଜ୍ୟ ନେତାଙ୍କ ସହିତ ଏ ନେଇ ଆଲୋଚନା କରିସାରିଲେଣି। ବିଜୟ ଖୁବ୍ ଶୀଘ୍ର ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କ ସହିତ ଆଲାଚନା କରିବାକୁ ଯୋଜନା କରିଛନ୍ତି। କେବଳ ସେତିକି ନୁହେଁ, ସେ ନିର୍ବାଚନ କମିସନଙ୍କୁ ଭେଟିବା ସମ୍ଭାବନା ରହିଛି। ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲ ସରକାରୀ ରିଲିଫ୍ ବାଣ୍ଟିବା ଘଟଣା ସଂପର୍କରେ ସେ ଫେରାଦ ହୋଇପାରନ୍ତି।