କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ, ସେନେଇ ଅଙ୍କ କଷୁଛନ୍ତି ସମସ୍ତ ଦଳ । ତେବେ ଚଳିତ ନିର୍ବାଚନରେ ଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦେଶର ଅଧା ଲୋକସଭା ଆସନ ଏମିତି ଅଛି, ଯେଉଁଠିକି ଏହି ଦୁଇ ପାୱାରଫୁଲ୍ ଦଳ ଏବଂ ତାଙ୍କ ମେଣ୍ଟ ବ୍ୟତୀତ ଏକ ତୃତୀୟ ଶକ୍ତି ମଧ୍ୟ ମଇଦାନରେ ରହିଛି । ଯିଏକି ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ସବଳ ଭାବେ ନିର୍ବାଚନୀ ସଂଗ୍ରାମରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଦେଶର ଏମିତି ୨୨୧ଟି ସଂସଦୀୟ ଆସନ ରହିଛି, ଯେଉଁଠି ଆଗାମୀ ନିର୍ବାଚନରେ ତ୍ରିକୋଣୀୟ ଲଢେଇ ହେବାକୁ ଯାଉଥିବା ନଜର ଆସୁଛି ।
ସୂଚନା ଅନୁଯାୟୀ, ଦେଶର ସମୁଦାୟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜାମ୍ମୁକାଶ୍ମୀର ଏବଂ ଦିଲ୍ଲୀ ସମେତ ୮ଟି ରାଜ୍ୟର ୨୨୧ଟି ଆସନ ଏମିତି ରହିଛି, ଯେଉଁଠି ବିଜେପି ଏବଂ କଂଗ୍ରେସର ସିଧାସଳଖ ଟକ୍କର ତୃତୀୟ ଶକ୍ତି ସହ ହେବାକୁ ଯାଉଛି । ଆଉ ଏମାନଙ୍କ ମଧ୍ୟରୁ ଅନେକ ଦଳ ସତାରୁ ନରେନ୍ଦ୍ର ମୋଦିଙ୍କୁ ହଟାଇବା ପାଇଁ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ।
ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ :
ତେବେ ଯଦି ଉତ୍ତରପ୍ରଦେଶ ରାଜନୀତି ଉପରେ ନଜର ପକାଇବା, ଏଠାରେ ନରେନ୍ଦ୍ର ମୋଦିଙ୍କ ବିଜୟରଥ ରୋକିବାକୁ ସପା-ବସପା ମହାମେଣ୍ଟ କରିଛନ୍ତି । ଏପରିକି ମେଣ୍ଟ ପକ୍ଷରୁ କେଉଁ ଆସନରେ ପ୍ରାର୍ଥୀ ଦିଆଯିବ, ତାହା ମଧ୍ୟ ଘୋଷଣା କରିଛି । ସେପଟେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରେଦଶ ଦାୟିତ୍ୱ ଦେଇଥିବା ବେଳେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ସେପଟେ ବିଜେପି ମଧ୍ୟ ଗଡ ବଜାୟ ରଖିବା ପାଇଁ ଆରମ୍ଭ କରିସାରିଛି ଅଙ୍କକଷା ।
ପଶ୍ଚିମବଙ୍ଗରେ ୪ଟି ଦଳ ମୁହାଁମୁହିଁ :
ସେହିପରି ପଶ୍ଚିମବଙ୍ଗ ରାଜନୀତି ଉପରେ ନଜର ପକାଇଲେ, ଏଠାରେ ଏପର୍ଯ୍ୟନ୍ତ କୌଣସି ଦଳ ମଧ୍ୟରେ ମେଣ୍ଟ ହୋଇନାହିଁ । କିନ୍ତୁ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ୪ଟି ଶକ୍ତିଶାଳୀ ଦଳ । ରାଜ୍ୟରେ ଟିଏମସି ଶାସନଗାଦିରେ ବସିଥିବା ବେଳେ, ଆଗାମୀ ନିର୍ବାଚନରେ ମମତାଙ୍କୁ ରୋକିବା ପାଇଁ ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ରହିଛନ୍ତି । କିନ୍ତୁ ରାଜ୍ୟରେ ମମତା ବାନାର୍ଜି ଅଧିକ ଶକ୍ତିଶାଳୀ ରହିଥିବା ବେଳେ ବିଜେପି ଦ୍ୱିତୀୟ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି ।
କିଏ ହେବ କେରଳ କିଙ୍ଗ ?
ଦକ୍ଷିଣ ଭାରତର କେରଳ ଉପରେ ଯଦି ନଜର ପକାଇବା, ଏଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ, ଏବଂ ଏଲଡିଏଫ ବ୍ୟତୀତ ତୃତୀୟ ଶକ୍ତି ଭାବେ ବିଜେପି ମେଣ୍ଟ ମଧ୍ୟ ଉଭା ହୋଇଛି । ସାବରୀମାଳା ଏବଂ ସନ୍ଧ କାର୍ଯ୍ୟକର୍ତ୍ତାଙ୍କ ହତ୍ୟାକୁ ନେଇ ବିଜେପି କ୍ରମାଗତ ଭାବେ କେରଳରେ ସଂଘର୍ଷ କରୁଛି ।
ଆନ୍ଧ୍ରପ୍ରଦେଶରେ ମୋଟ୍ ୨୫ ଲୋକସଭା ଆସନରେ ବିଜେପି, କଂଗ୍ରେସ, ଟିଡିପି ଏବଂ ଜଗନ ମୋହନ ରେଡ୍ଡିଙ୍କ ବାଇଏସଆର କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ସୁବେରେ କୌଣସି ଦଳର କୌଣସି ଦଳ ସହ ମେଣ୍ଟ ନାହିଁ । ଏଠାରେ ସବୁଠାରୁ ବଡ ଲଢେଇ ଜଗନ ମୋହନ ରେଡ୍ଡି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ମଧ୍ୟରେ ହେବାକୁ ଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି, ଏଠାରେ କଂଗ୍ରେସ ଏବଂ ବିଜେପି ଭଳି ଜାତୀୟ ଦଳ ନିଜ ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି ।
ଓଡିଶାରେ ବିଜେଡି-ବିଜେପି-କଂଗ୍ରେସ :
ଓଡିଶା ରାଜନୀତି ଉପରେ ନଜର ପକାଇଲେ, ଏଠାରେ ମୋଟ୍ ୨୧ଟି ଲୋକସଭା ଆସନ ରହିଛି । ରାଜ୍ୟରେ ଏଥର ହେବାକୁ ଯାଉଛି ତ୍ରିମୁଖୀ ଲଢେଇ । ଓଡିଶାରେ କୌଣସି ଦଳର ମେଣ୍ଟ ନଥିବା ବେଳେ ଦୁଇଟି ଜାତୀୟ ଦଳଙ୍କୁ ଦୀର୍ଘ ୨୦ ବର୍ଷ ଧରି ଶାସନ ଗାଦିରୁ ଦୂରରେ ରଖିଛି ବିଜୁ ଜନତା ଦଳ । ଆଉ ଏଠାରେ ତୃତୀୟ ଶକ୍ତି ଭାବେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଥିବା ବେଳେ, ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି, ବିଜେପି ଓ କଂଗ୍ରେସ ।
ତେଲେଙ୍ଗାନା ରାଜନୀତି ଉପରେ ନଜର ପକାଇଲେ, ଏଠାରେ ମୋଟ୍ ୧୭ଟି ଲୋକସଭା ଆସନ ରହିଛି । ଏଠାରେ ଶାସନ ଗାଦିରେ କେସିଆରଙ୍କ ଟିଆରଏସ ରହିଛି । ତେବେ ଆଗାମୀ ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପି ବିରୋଧରେ କେସିଆର ତୃତୀୟ ଶକ୍ତି ଭାବେ ରହିଛନ୍ତି । ଏଠାରେ କେସିଆର ଅଧିକ ଶକ୍ତିଶାଳୀ ନଜର ଆସୁଥିବା ବେଳେ ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୋଟିଚାଳନା କରୁଛନ୍ତି କଂଗ୍ରେସ ଓ ବିଜେପି ।
ସେହିପରି ଯଦି ରାଜଧାନୀ ଦିଲ୍ଲୀ ଉପରେ ନଜର ପକାଇବା, ଏଠାରେ ମୋଟ୍ ୭ଟି ଲୋକସଭା ଆସନ ରହିଛି । ଏଠାରେ ମଧ୍ୟ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଶାସନଗାଦିରେ ଥିବା ଆମ୍ ଆଦମି ପାର୍ଟିକୁ ହଟାଇବା ପାଇଁ ରାଜନୈତିକ ଅଙ୍କ କଷୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଦିଲ୍ଲୀରେ କୌଣସି ଦଳର କୌଣସି ପ୍ରକାର ମେଣ୍ଟ ନାହିଁ । ସମସ୍ତ ଦଳ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/1b57a5f4f1ef8a1b81bde30ac8e3c740.jpg)
/kanak/media/post_attachments/wp-content/uploads/2019/02/174751-300x164.jpg)
/kanak/media/post_attachments/wp-content/uploads/2019/02/trs-69-1544358738-355833-khaskhabar-300x200.jpg)
/kanak/media/post_attachments/wp-content/uploads/2019/02/Untitled-design-37-960x509-300x159.png)