କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ଭକ୍ତ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି, ସେହି ଦାବିରେ ଆଜି ବଡଦାଣ୍ଡରେ ଘଟିଛି ଏକ ରୋଚକ ଘଟଣା । ଜଣେ ୯୮ ବର୍ଷର ବୃଦ୍ଧା ସକାଳ ୧୦ଟାରେ ଆସି ଜିଦ୍ ଧରି ବଡଦାଣ୍ଡରେ ବସିଲେ । ତାଙ୍କର ଗୋଟିଏ ଦାବି ଥିଲା, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ସୁଯୋଗ ଦିଆଯାଉ । ସେ ବାରମ୍ବାର କହୁଥିଲେ, ତାଙ୍କର ସମୟ ହୋଇ ଯାଇଛି, ସେ ଠାକୁରଙ୍କୁ ଦେଖିବା ପରେ, ବଡଦାଣ୍ଡ ଦେଇ ତାଙ୍କର ଶବ ଯାଉ । କିନ୍ତୁ କରୋନା ପାଇଁ ଯେଉଁ କଡା ନିୟମ ବନାଯାଇଛି, ତାକୁ ଭାଙ୍ଗିବା ସହଜ ନୁହେଁ । ତେଣୁ ୭ ଘଂଟା ବଡଦାଣ୍ଡରେ ବସିବା ପରେ, ଲୋକଙ୍କ ବୁଝାସୁଝା ପରେ ସେ ଫେରି ଯାଇଥିଲେ ।

Advertisment

ହେତୁ ପାଇନଥିବା କୁନି ପିଲା ଏବଂ ବୟସ ଢ଼ଳିଯାଇଥିବା ମଣିଷ ଭିତରେ ସତରେ ଅନେକ ସମାନତା ଥାଏ । ଏହି ଘଟଣା ହିଁ ତାହା ପ୍ରକାଶ କରୁଛି । କୁନି ପିଲାଟିଏ ଭଳି ବୁଢ଼ୀ ମା’ ଜଣକ ଠାକୁରଙ୍କ ଦର୍ଶନ ପାଇଁ ଆଜି ଅଡ଼ି ବସିଥିଲେ । ଶତାୟୁ ବୃଦ୍ଧାଙ୍କ ଗୋଟିଏ ଜିଦ୍ ଯେ, ଜଗାକୁ ଦେଖିଲେ ଯିବେ, ନହେଲେ ଏମିତି ବଡ଼ଦାଣ୍ଡରେ ବସି ରହିବେ । ଜୀବନ-ମରଣର ଦୋଛକି ଭିତରେ କେତେବେଳେ କ’ଣ ହେବ କିଏ କହିପାରିବ, ସେହି ଆଶଙ୍କା କରି ବୃଦ୍ଧା ଜଣକ ଶ୍ରୀମନ୍ଦିରେ ଜଗନ୍ନାଥ ଦର୍ଶନ ପାଇଁ ଜିଦ୍ ଧରି ବସିଥିଲେ ।

ପୁଅ ବୋହୁଙ୍କ ସହ ନୟାଗଡ଼ ଜିଲ୍ଲା ଶରଣକୂଳରୁ ପୁରୀ ଆସିଥିଲେ ଏହି ବୃଦ୍ଧା । ଶ୍ରୀମନ୍ଦିରରୁ ଅଭଡ଼ା ସିନା ଆସିଲା, ହେଲେ ଠାକୁର ଦର୍ଶନ କରିପାରିଲେ ନାହିଁ । କାରଣ, କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଛି ଶ୍ରୀମନ୍ଦିର । ଶେଷରେ ବୁଝାସୁଝା କରି ବୃଦ୍ଧାଙ୍କୁ ଘରକୁ ନେଇ ଯାଇଥିଲେ ପରିବାର ଲୋକ ।

କେବଳ ଏହି ବୃଦ୍ଧା ନୁହଁନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ଏବେ ଶ୍ରୀମନ୍ଦିର ଦ୍ୱାରକୁ ଚାହିଁ ରଖିଛନ୍ତି, କେବେ ଶ୍ରଦ୍ଧାଳୁଙ୍କ ପାଇଁ ଦ୍ୱାର ଫିଟିବ ଏବଂ ସେମାନେ ଠାକୁର ଦର୍ଶନ କରିବେ । କୋଭିଡ୍ କାରଣରୁ ପ୍ରାୟ ୯ ମାସ ହେଲାଣି, ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ଆଉ ଶ୍ରୀମନ୍ଦିର ଖୋଲିବା ପାଇଁ ମାନବାଧିକାର କର୍ମୀମାନେ ବିକ୍ଷୋଭ କରିବା ସହ ଶ୍ରୀମନ୍ଦିର ପ୍ରଶାସନକୁ ଦାବି ଜଣାଛନ୍ତି ।

ଆଉ ଏହାରି ଭିତରେ ଶ୍ରୀମନ୍ଦିର ଖୋଲିବା ପାଇଁ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ବିଚାରବିମର୍ଶ ଜାରି ରଖିଛି । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ଉପରେ ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।

ଏପଟେ ଶ୍ରୀମନ୍ଦିର ଖୋଲିଲେ-କେମିତି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ? କୋଭିଡ୍ କଟକଣାକୁ କେମିତି ପାଳନ କରାଯିବ ? ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ପ୍ରଶାସନର ଚୁଡ଼ାନ୍ତ ନିଷ୍ପତି ଆସିବା ପରେ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ । ଆଉ ଏହା ପରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିବ ପୁରୀ ପୁଲିସ୍ । ଦୀର୍ଘ ୯ ମାସ ହେଲା ଶ୍ରୀମନ୍ଦିର ଭକ୍ତ ପାଇଁ ବନ୍ଦ ଥିବାରୁ ଏବେ ସମସ୍ତେ ଚାହିଁ ରଖିଛନ୍ତି କେବେ ଖୋଲିବ ପୁରୀ ଶ୍ରୀମନ୍ଦିର ।