ବିଜୁଳି ସଂଯୋଗ କାଟିଦେବା ଘଟଣାରେ ଟାଟା ପାୱାର ବିରୋଧରେ ଅଭିନବ ପ୍ରତିବାଦ । ରୋଗୀଣା ମା’ଙ୍କୁ ଠେଲା ଗାଡିରେ ନେଇ ଧାରଣା ଦେଲେ ପୁଅ ।

141

କନକ ବ୍ୟୁରୋ : ଅସହ୍ୟ ହେଲା ଟାଟା ପାୱାରର ଦୌରାତ୍ମ୍ୟ । ପ୍ରତିବାଦରେ ନିଜ ରୋଗିଣା ମା’ଙ୍କୁ ଠେଲାରେ ଧରି ରାସ୍ତାକୁ ଓହ୍ଲାଇଲେ ଜଣେ ଚାଷୀ । ବିଦ୍ୟୁତ ବିଲ୍ ପୈଠ ହୋଇଥିବା ସତ୍ୱେ ମାଲକାନଗିରି ଜିଲ୍ଲା ଏମଭି ୪୧ ଗାଁର ଜଣେ ଚାଷୀଙ୍କ ବିଦ୍ୟୁତ ସଂଯୋଗ କାଟିବାକୁ ଯାଇ ମକା ବାଡକୁ ଖିନ ଭିନ କରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଘରେ ଶତାୟୁ ବର୍ଷର ବୁଢୀ ମା ଶଯ୍ୟାଶାୟୀ ହୋଇ ଥିଲେ ହେଁ କିଛି ବାଛ ବିଚାର ନ କରି ବିଦ୍ୟୁତ କାଟି ଚାଲି ଯାଇଥିଲେ କର୍ମଚାରୀ । ଆଉ ପ୍ରତିବାଦ ବି ଏମିତି ଘଣ୍ଟା ଘଣ୍ଟା ଧରି ଚାଲିବା ପରେ ପ୍ରଶାସନର ନିଦ ଭାଙ୍ଗିଛି ।

ଟାଟା ପାୱାର କମ୍ପାନୀର ମନମାନି ବିରୋଧରେ ପ୍ରତିବାଦ । ଠେଲା ଗାଡିରେ ରୋଗୀଣା ବୁଢୀ ମାଆକୁ ଟ୍ରଲିରେ ଧରି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ମୁହାଁ ଏମଭି ୪୧ ଗାଁର ଦୀପକ ଦେ । ସକାଳ ପ୍ରାୟ ୯ ଟାରେ ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା ଏପରି ଏକ ବିଚିତ୍ର ଦୃଶ୍ୟ । ବିଦ୍ୟୁତ୍ ବିଲ୍ ପଇଠ କରିବା ପରେ ମଧ୍ୟ ଲାଇନ୍ ସଂଯୋଗ କାଟି ଦେବାରୁ ଗୁରୁତ୍ୱର ହୋଇ ପଡିଥିବା ମାଆକୁ ଧରି ଏମିତି ପ୍ରତିବାଦ କରିଥିଲେ ଦୀପକ ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଟାଟା ପାୱାରର ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ ଓ ପ୍ରଶାସନିକ ଅଧିକାରୀ ଦୀପକଙ୍କ ନିକଟରେ ପହଞ୍ଚି ତାଙ୍କୁ ବୁଝା ସୁଝା କରିଥିଲେ । ତେବେ ଘରର ବିଲ ପୈଠ ହୋଇଥିଲେ ହେଁ କାହିଁକି ବିଦ୍ୟୁତ ସଂଯୋଗ କଟାଗଲା ? ବିଦ୍ୟୁତ ବିଲ ଆଦାୟ ପ୍ରକ୍ରିୟା ନେଇ କମ୍ପାନୀ ଏତେ କଠୋର କାହିଁକି ? ଅଧିକାରୀଙ୍କୁ ଏମିତି ପ୍ରଶ୍ନ କରିଥିଲେ ଦୀପକ । ଶେଷରେ ପ୍ରାୟ ୧୮ କିଲୋମିଟର ଯାତ୍ରା ପରେ ପ୍ରଶାସନ ଓ ପୁଲିସ ଯୋର ଜବରଦସ୍ତ ଦୀପକଙ୍କ ମାଁ ରେଣୁବାଳା ଦେଙ୍କୁ ଆମ୍ବୁଲାନ୍ସ ରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଗତ ୧୬ ତାରିଖ ଦିନ ଟାଟା କର୍ମଚାରୀ ୬୪୩ ଟଙ୍କା ବିଲ୍ ପ୍ରଦାନ କରିଥିବାବେଳେ ସାଙ୍ଗେ ସାଙ୍ଗେ ୭୦୦ ଟଙ୍କା ପୈଠ କରି ରସିଦ କାଟିଥିଲେ ଦୀପକ । ସେହିପରି ଉଠାଜଳସେଚନ ବାବଦକୁ ୨୧ ହଜାର ୩୯୨ ଟଙ୍କା ବିଲ୍ ପ୍ରଦାନ କରାଯାଇଥିବା ବେଳେ ଗତ ୯ ସେପ୍ଟେମ୍ବରରେ ୭ ହଜାର ଟଙ୍କା ପୈଠ କରିଥିଲେ । ହେଲେ ଗତ ବୁଧବାର ଦିନ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ ଟାଟା କର୍ମଚାରୀ । ଯାହାକୁ ନେଇ ବଢ଼ିବାରେ ଲାଗିଥିଲା ଅସନ୍ତୋଷ ।