କନକ ବ୍ୟୁରୋ: ବାପା ତମେ କୁଆଡେ ଗଲ, ଆମେ ତମ ବାଟ ଚାହିଁ ବସିଛୁ... ଫେରିଆସ ବାପା, ଫେରିଆସ । ତମକୁ ବହୁତ ଖୋଜିଲୁଣି... ବୃଦ୍ଧ ନିଖୋଜ ହେବା ପରେ ଶାଳିଆ ନଦୀ ପଠାରେ ବାପାଙ୍କୁ ଝୁରି ହେଉଛନ୍ତି ପରିବାର ଲୋକେ । ଝିଅ, ପୁଅ ବୁଢାବାପାଙ୍କ ପାଇଁ ବାହୁନି ବାହୁନି କାନ୍ଦୁଥିବା ବେଳେ ସ୍ତ୍ରୀ ନଦୀ ପଠାରେ ମଥାପିଟି କାନ୍ଦୁଛନ୍ତି । ୨୪ ଘଣ୍ଟା ହେବ ବୃଦ୍ଧ ଚରଣ ବେହେରାଙ୍କର କୌଣସି ପତ୍ତା ମିଳୁନଥିବାରୁ ଚିନ୍ତାରେ ପୂରା ପରିବାର ।

Advertisment

ତେବେ ଗତକାଲି ନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଥିଲେ ବାଣପୁରର ଚରଣ ବେହେରା । ଗତକାଲି ଠାରୁ ଆଜି ଯାଏଁ ପ୍ରାୟ ୨୪ ଘଣ୍ଟା ବିତି ଯାଇଥିଲେ ବି ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନି । ଗତକାଲି ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ଆଜି ଦିନ ୯ଟା ବାଜି ଯାଇଥିଲେ ବି ଅଗ୍ନିଶମ ବାହିନୀର ଦେଖାଦର୍ଶନ ନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଦମକଳ ବାହିନୀ ଆସିନଥିବାରୁ ନଦୀରେ ନିଜ ଆଡୁ ଖୋଜାଖୋଜି ଆରମ୍ଭ କରିଛନ୍ତି ଗାଁ ଲୋକେ । ନଦୀର ପ୍ରଖର ସୁଅ ଏବଂ ଗଭୀରତା ଦୃଷ୍ଟିରୁ ଅଧିକ ଭିତରକୁ ଯାଇ ଖୋଜିବା ସମ୍ଭବ ହେଉନି । ସମୟ ଗଡିଗଡି ଯାଉଥିବାରୁ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଅଗ୍ନିଶମ ବାହିନୀ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଖୋଜୁ ବୋଲି ଗାଁ ଲୋକେ ଦାବି କରିଛନ୍ତି ।