ହାଇଟେକ୍ ପ୍ଲାଜା ପାଲଟିଲା ମରଣଯନ୍ତା । କାମ କଲାନି ଲିଫ୍ଟର ସେନ୍ସର, ଚାଲିଗଲା ବୃଦ୍ଧଙ୍କ ଜୀବନ ।

430

କନକ ବ୍ୟୁରୋ : ଲିଫ୍ଟ ନେଇଗଲା ଜୀବନ । ଲିଫ୍ଟରେ ଦ୍ୱିତୀୟ ମହଲାରୁ ତଳକୁ ଯିବା ପାଇଁ ଚାହୁଁଥିବା ବୃଦ୍ଧଙ୍କ ଜୀବନ କିଛି ଏଭଳି ଢଙ୍ଗରେ ଚାଲିଯାଇଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜଧାନୀରେ ଘଟିଥିବା ଏହି ଘଟଣା, ଆପାର୍ଟମେଣ୍ଟ ସୋସାଇଟିର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଭଳି ଲିଫ୍ଟ ନଆସି ମଧ୍ୟ ସେଫଟି ଡୋର ଖୋଲି ଯାଇଥିଲା, ତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଦୁଇ ମହଲାରୁ ତଳକୁ ଖସିପଡି ଲିଫ୍ଟରେ ଚାପି ହୋଇ ପ୍ରାଣ ହରାଇଛନ୍ତି ବୃଦ୍ଧ ଜଣଙ୍କ ।

ହାଇଟେକ୍ ପ୍ଲାଜା ପାଲଟିଲା ମରଣଯନ୍ତା । ଲିଫ୍ଟ ନେଇଗଲା ବୃଦ୍ଧଙ୍କ ଜୀବନ । ଭୁବନେଶ୍ୱର ସୁନ୍ଦରପଦାରେ ଥିବା ହାଇଟେକ ପ୍ଲାଜା ଆପାର୍ଟମେଣ୍ଟର ଏ. ୱାନ ବ୍ଲକର ଲିଫ୍ଟରୁ ପଡି ବୃଦ୍ଧଙ୍କ ମୃତ୍ୟୁ ଘଟଣା, ଚାଂଚଲ୍ୟ ଖେଳାଇ ଦେଇଛି । ଯାନ୍ତ୍ରିକ ତ୍ରୁଟି ଆଉ ଆପାର୍ଟମେଣ୍ଟର ଖାମଖିଆଲି ମନୋଭାବ କେମିତି ଜଣକ ଜୀବନ ନେଇପାରେ, ଏହା ହେଉଠି ତାର ଜ୍ୱଳନ୍ତ ଉଦାହରଣ ।

ସୋମବାର ସକାଳ ପ୍ରାୟ ୧୦ଟାରେ ଘରୁ ବଜାରକୁ ବାହାରିଥିଲେ ସୀମାଞ୍ଚଳ ମହାପାତ୍ର । ଦ୍ୱିତୀୟ ମହଲାରୁ ଗ୍ରାଉଣ୍ଡ ଫ୍ଲୋରକୁ ଯିବା ପାଇଁ ଲିଫ୍ଟଟିକୁ ଖୋଲିଥିଲେ । କିନ୍ତୁ ସେନସର କାମ କରୁନଥିଲା । ଲିଫ୍ଟଟି ଦ୍ୱିତୀୟ ମହଲାରେ ନଥାଇ ମଧ୍ୟ ଗେଟ୍ ଖୋଲିଯାଇଥିଲା । ଆଉ ଲିଫ୍ଟ ଖୋଲିଗଲା ଭାବି ଭିତରକୁ ପଶି ଯିବାରୁ ସିଧାସଳଖ ତଳକୁ ଖସି ପଡିଥିଲେ ସୀମାଞ୍ଚଳ । ଦୀର୍ଘ ୬ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୫ଟା ବେଳକୁ ଲିଫ୍ଟ ତଳୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସୀମାଞ୍ଚଳଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଆପାର୍ଟମେଣ୍ଟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।