କନକ ବ୍ୟୁରୋ : ଭତ୍ତା ପାଇଁ ବୁହା ହେଲେ ବୃଦ୍ଧ । ୫ ଶହ ଟଙ୍କା ଆଣିବା ପାଇଁ ୮୦ ବର୍ଷିୟ ବୃଦ୍ଧଙ୍କୁ ୮ କିଲୋମିଟର ରାସ୍ତା ପିଠିରେ ବୋହି ନେଲେ ସଂପର୍କୀୟ । ଗାଁ ଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ୮ କିଲୋମିଟର । ତେଣୁ ଭତ୍ତା ଟଙ୍କା ପାଇଁ ଏମିତି ଯାଉଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଂଚାୟତ ଅଧିନସ୍ଥ ଜଡାପୁଟ ଗାଁର ପିତ ମୁଦୁଲି । ସୂଚନା ଅନୁସାରେ, ୫ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଛି । ଆଉ ଆଗଭଳି ଚଲାବୁଲା କରି ପାରୁନାହାନ୍ତି । ପୂର୍ବରୁ ନିଜେ ଚାଲିଚାଲି ଭତ୍ତା ପାଇଁ ଯାଉଥିଲେ । ହେଲେ ଏବେ ଆଉ ଚାଲିଚାଲି ଯାଇ ୫ଶହ ଟଙ୍କାର ଭତ୍ତା ଆଣିବା ସମ୍ଭବ ହେଉନାହିଁ । କି ଗାଡି ଭଡା କରିଯିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ତେଣୁ ଜଣେ ସମ୍ପର୍କୀୟଙ୍କ ପିଠିରେ ବୁହା ହୋଇ ବ୍ଲକ ଅଫିସକୁ ଯାଇଥିଲେ ପିତ ମୁଦୁଲି । ଏହି ଦୃଶ୍ୟକୁ ସ୍ଥାନୀୟ ଲୋକ ନିଜ ମୋବାଇଲରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେପଟେ ଦଶମନ୍ତପୁର ବିଡିଓ ମିଲନ କୁମାର ଝା କହିଛନ୍ତି, ଆସନ୍ତା ମାସରୁ ବୃଦ୍ଧଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରାଯିବ ।

Advertisment