ବାପା ମାଆଙ୍କୁ ପର କରିଦେଲେ ୪ପୁଅ-ଝିଅ । ପେଟ ପୋଷିବା ପାଇଁ ରାସ୍ତାରେ ପକୁଡି ବିକୁଛନ୍ତି ବୃଦ୍ଧ ଦମ୍ପତି

200

କନକ ବ୍ୟୁରୋ : ଦୁଃଖି ମଣିଷଟିର ଦୁଃଖର କାହାଣୀ । ଯାହାଙ୍କର ସବୁ ଥାଇ ବି କେହି ନାହାନ୍ତି । ରାସ୍ତା କଡରେ ବିତୁଛି ଜୀବନ । ଦୁଇ ପୁଅ ଦୁଇ ଝିଅ ଥାଇ ବି ଆଜି ବେସାହାରା ବାପା-ମାଆ । ଦିନେ ଆଶା ଥିଲା ପରିଣତ ବୟସରେ ସେହି ପୁଅଝିଅ ସାହା ହେବେ । ଆଜି ସେହି ବାପା ମାଆଙ୍କୁ ପର କରିଦେଇଛନ୍ତି ସନ୍ତାନ । ରାସ୍ତା କଡରେ ବରା ପକୁଡି ବିକି ପେଟ ପୋଷୁଛନ୍ତି ।

ବୃଦ୍ଧ ବାପାଙ୍କ ପାଟି ଖନି ମାରୁଛନ୍ତି । ଖିନି ଖନି ପାଟିରେ ସେ ତାଙ୍କର କରୁଣ କାହାଣୀ ବଖାଣିଛନ୍ତି । ବାପାରେ ମୋ ଲାଠି ଭାଙ୍ଗି ଯାଇଛି । ଦୁଇ ଦୁଇଟା ପୁଅ, ଦୁଇ ଦୁଇଟା ଝିଅ କିନ୍ତୁ ଏ ବୁଦ୍ଧାବସ୍ଥାରେ କେହି ଆମକୁ ପଚାରୁନାହାଁନ୍ତି । ଏବେ ଚଳିବା ପାଇଁ ଏ ବୁଢା ବୁଢୀ ଅବସ୍ଥାରେ ଆମକୁ ରାସ୍ତା କଡରେ ପକୁଡି ବିକିବାକୁ ପଡ଼ୁଛି । ଅଭିମାନ ଭରା କଣ୍ଠରେ ଏଭଳି କହିଛନ୍ତି ବୃଦ୍ଧା ବାପା, ମା’ ।

ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳରେ । ବାଣପୁର ତୁନ୍ଦୁରାପୁଟ ଗ୍ରାମର ସତ୍ୟବାଦୀ ବେହେରା ଏବଂ ତାଙ୍କ ସ୍ତ୍ରୀ ଏବେ ପକୁଡି ବିକିଲେ ଗୁଜୁରାଣ ମେଂଟାଉଛନ୍ତି । ଦୁଇ ପୁଅ, ଦୁଇ ଝିଅ ବିବାହ କରିସାରିଥିବା ବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ବାପା, ମା’ଙ୍କୁ ପଚାରୁ ନାହାନ୍ତି । ଜୀବନର ଅନ୍ତିମ ଅବସ୍ଥାରେ ଜିଂଇବା ପାଇଁ କରୁଛନ୍ତି ସଂଗ୍ରାମ ବୃଦ୍ଧ ବାପା, ମା’ ।