ମହାରାଷ୍ଟ୍ରରେ ମହାନାଟକ: ବିଦ୍ରୋହୀ ନେତା ସିନ୍ଦେ କହିଲେ, ତାଙ୍କ ପଛରେ ବଡ ଜାତୀୟ ଦଳର ସମର୍ଥନ ରହିଛି

280

କନକ ବ୍ୟୁରୋ: ବିଦ୍ରୋହୀ ଶିବସେନା ବିଧାୟକଙ୍କ ପଛରେ କିଏ? ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ପଛରେ ଦଳର ହାତ ନାହିଁ ବୋଲି ବିଜେପି କହିବା ପରେ ଏକନାଥ ସିନ୍ଦେଙ୍କ ଭିଡିଓ ଭିନ୍ନ ସଙ୍କେତ ଦେଇଛି । ଗୌହାଟିର ହୋଟେଲରେ ସମର୍ଥକଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ସମର୍ଥକଙ୍କୁ ଉଦବୋଧନ ଦେବାର ଭିଡିଓ ମୁମ୍ବାଇ ସ୍ଥିତ ତାଙ୍କ ଅଫିସ ପକ୍ଷରୁ ରିଲିଜ୍ କରାଯାଇଛି । ତାଙ୍କ ସମର୍ଥନରେ ଥିବା ବିଧାୟକମାନଙ୍କୁ ଏକନାଥ ସିନ୍ଦେ କହିଛନ୍ତି, ଏକ ବଡ଼ ଜାତୀୟ ଦଳ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରି କହି ବିଜେପି ଆଡ଼କୁ ଇସାରା ଦେଇଛନ୍ତି ସିନ୍ଦେ ।

ଏକ ଜାତୀୟ ଦଳ ସେମାନଙ୍କ କାର୍ଯ୍ୟକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିବା ସେ କହିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ବୈଠକରେ ସିନ୍ଦେ କହିଛନ୍ତି, ସେମାନଙ୍କର ଲକ୍ଷ୍ୟ ଗୋଟିଏ । ଏକାଠି ରହିଲେ, ବିଜୟ ନିଶ୍ଚିତ ବୋଲି ସେ କହିଛନ୍ତି । ବିଜେପିକୁ ଇସାରା କରି ସିନ୍ଦେ କହିଛନ୍ତି, ଏକ ଜାତୀୟ ଦଳ ଯିଏ ଏକ ମହାଶକ୍ତି ଭାବେ ପ୍ରମାଣିତ କରିଛି, ପାକିସ୍ତାନକୁ କଡ଼ା ଜବାବ ଦେଇଛି, ସେମାନେ ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏକନାଥ ସିନ୍ଦେଙ୍କ ଏହି ମନ୍ତବ୍ୟ ପରେ ବିଜେପିର ଭୂମିକା ନେଇ ଚର୍ଚ୍ଚା ବଢିଛି । ଶିବସେନାର ୩୭ ଜଣ ବିଦ୍ରୋହୀ ବିଧାୟକ ଓ ୯ ଜଣ ସ୍ୱାଧୀନ ବିଧାୟକ, ଏକନାଥ ସିନ୍ଦେଙ୍କ ସହ ଗୌହାଟିର ଏକ ହୋଟେଲରେ ରହିଥିବା କୁହାଯାଉଛି । ଧୀରେ ଧୀରେ ବିଦ୍ରୋହୀ ଶିବିରର ଶକ୍ତି ବଢୁଛି । ସମୟ ଯେତିକି ଗଡୁଛି, ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି ସରକାରର ସଙ୍କଟ ସେତିକି ବଢ଼ି ଚାଲିଛି ।