ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ବାଜି ମାରିଲେ ସିନ୍ଦେ : ସମର୍ଥନରେ ୧୬୪ ବିଧାୟକ ଦେଲେ ଭୋଟ୍

392

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟରେ ବାଜି ମାରିଲେ ସିନ୍ଦେ । ଏକନାଥ ସିନ୍ଦେ ସରକାରଙ୍କୁ ବହୁମତ ମିଳିଲା । ସିନ୍ଦେଙ୍କ ସମର୍ଥନରେ ୧୬୪ ବିଧାୟକ ଭୋଟ୍ ଦେଲେ । ସେପଟେ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ବିଜେପି ସହିତ ମିଶି ନୂଆ ବାଚସ୍ପତି ଭାବେ ରାହୁଲ ନର୍ବେକରଙ୍କୁ ବିଜୟୀ କରିଛନ୍ତି । ନୂଆ ବାଚସ୍ପତି ହେବା ପରେ ଗତକାଲି ବିଳମ୍ବିତ ରାତିରେ ବିଧାୟକ ଦଳ ନେତା ପଦରୁ ଶିବସେନା ବିଧାୟକ ଅଜୟ ଚୌଧାରୀଙ୍କୁ ବିଦା କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଚିଠି ଜାରି କରାଯାଇଛି । ଏହା ସହ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ପୁଣି ଥରେ ଅବସ୍ଥାପିତ କରିଛନ୍ତି ।

ସେହିପରି ସିନ୍ଦେ ଗୋଷ୍ଠୀ ପକ୍ଷରୁ ଭରତ ଗୋଗୋୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ସ୍ୱୀକୃତି ଦିଆଯାଇଛି । ପୂର୍ବରୁ ଏହି ପଦରେ ଥିବା ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିଧାୟକ ସୁନୀଲ ପ୍ରଭୁଙ୍କୁ ହଟାଇ ଦିଆଯାଇଛି । ଅସ୍ଥା ଭୋଟ୍ ପୂର୍ବରୁ ବବ୍ମ୍ିତ ରାତିରେ ଏହି ଘଟଣା ଶିବସେନା ପାଇଁ ବଡ଼ ଝଟ୍କା ହୋଇଛି । ଫଳରେ ଉଦ୍ଧବଙ୍କ ପଟେ ଥିବା ୧୬ ବିଧାୟକ ଆସ୍ଥା ଭୋଟ୍ ପୂର୍ବରୁ ଗୋଗୋୱାଲେଙ୍କ ପକ୍ଷରୁ ଜାରି ହେବାକୁ ଥିବା ହ୍ୱିପ୍ ମାନିବାକୁ ବାଧ୍ୟ ହେବେ । ୧୬ ବିଧାୟକ ହ୍ୱିପ୍ ନମାନିଲେ ସେମାନେ ଅଯୋଗ୍ୟ ହୋଇପାରନ୍ତି । ଆସ୍ଥା ଭୋଟ୍ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ବିଧାୟକଙ୍କ ବୈଠକ ହୋଇଛି ।