ଏକାମ୍ର କାନନ ଜମିରେ କ’ଣ କରିବାକୁ ଚାହୁଁଛନ୍ତି ସରକାର ? ଜମି ହସ୍ତାନ୍ତର ନେଇ ତେଜିଲା ରାଜନୀତି, କଂଗ୍ରେସ ପରେ ପ୍ରତିବାଦ କଲା ବିଜେପି ।

292

କନକ ବ୍ୟୁରୋ : ରାଜଧାନୀର ପରିବେଶକୁ ପ୍ରଦୂଷଣରୁ ଅନେକ ମାତ୍ରାରେ ରକ୍ଷା କରୁଥିବା ଏକାମ୍ରକାନନ ଫାର୍ମରେ ସରକାର ନିର୍ମାଣ କାମ କରିବେ ବୋଲି ଜଣାପଡିବା ପରେ ପ୍ରତିବାଦ ତେଜିବାରେ ଲାଗିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି, ଏତେ ମୂଲ୍ୟବାନ ଜଙ୍ଗଲ ସମ୍ପତ୍ତିକୁ ସଫା କରି ସରକାର କରିବେ କ’ଣ ।

ଧୀରେ ଧୀରେ ବିବାଦୀୟ ହୋଇପଡୁଛି ଭୁବନେଶ୍ୱର ଏକାମ୍ରକାନନ ଫାର୍ମର ଜମି । ସାଧାରଣ ପ୍ରଶାସନ ବିଭାଗକୁ ଏହି ଜମି ହସ୍ତାନ୍ତରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏକାମ୍ର କାନନ ଫାର୍ମରେ ୧୦ହଜାରରୁ ଅଧିକ ବଡ ବଡ ମୂଲ୍ୟବାନ ଗଛ ରହିଛି । ଉଦ୍ୟାନ କୃଷିରେ ଏହି ଫାର୍ମ ରାଜ୍ୟ ପାଇଁ ଯେତିକି ସୁନାମ ଆଣିଛି, ରାଜଧାନୀର ପରିବେଶ ରକ୍ଷା ଦିଗରେ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ଏହି ଫାର୍ମ ।

ଆଉ ଏହାରି ଭିତରେ ପ୍ରଶ୍ନ ହେଉଛି, ଏକାମ୍ର ଫାର୍ମକୁ କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ରାଜ୍ୟ ସରକାର ? ଜଙ୍ଗଲକୁ କାଟି କ’ଣ ନିର୍ମାଣ କରିବେ ସରକାର ? ଜଙ୍ଗଲକୁ କାଟି ପ୍ଲଟିଂ କରିବେ ନାହିଁ ତ ସରକାର ? ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଏକାମ୍ର ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗ କ’ଣ କରିବ ? ପ୍ରଥମେ ସରକାର କହିଥିଲେ ଯେ ଏହି ଜମିରେ ଆବାସ ଗୃହ ନିର୍ମାଣ ହେବ । କିନ୍ତୁ ରାଜଧାନୀର ପରିବେଶ ପାଇଁ ଏତେ ମୂଲ୍ୟବାନ ଜାଗାରେ ଆବାସ ଗୃହ ବନାଇବା କଣ ଏତେ ଆବଶ୍ୟକ ?

ଗତକାଲି ମୁଖ୍ୟ ଶାସନ ସଚିବ ପ୍ରେସ ବିବୃତି ଜାରି କରି କହିଥିଲେ, ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧିନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ସେହି ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଫଳପ୍ରଦ ବ୍ୟବହାର ନିମନ୍ତେ ଫେରାଇ ଦେଉଥିବା ଜଣାପଡିଛି ।

ସରକାରୀ ହିସାବ ଅନୁସାରେ ଏକାମ୍ର ଫାର୍ମରେ ୬୬୦ ଆମ୍ବଗଛ, ୪୫ ନଡିଆ ଗଛ, ୨ ହଜାର ସପୁରୀ, ୪୫ କାଜୁ, ୭୬ଟି ସପେଟା, ୨୦୦ କଦଳୀ ଗଛ ସହ ବହୁ ପରୁଣା ଗଛ ମଧ୍ୟ ରହିଛି । ଯଦି ଏସବୁ ଗଛକୁ କାଟି ଘର ନିର୍ମାଣ କରିଦିଆଯାଏ ତେବେ ଏହା କେତେ ଦୂର ଠିକ ହେବ ସେନେଇ ପ୍ରଶ୍ନ ଉଠିଛି ।