ଏକାମ୍ର ଆସନ ଉପରେ ତିନି ଦଳର ଆଖି । ବିଜେଡିରୁ ପୁଣି ଲଢ଼ିପାରନ୍ତି ଅଶୋକ ! ପ୍ରାର୍ଥୀ ଚୟନ ନେଇ ବିଜେପି-କଂଗ୍ରେସର ଅଙ୍କକଷା ।

Advertisment
ଏକାମ୍ର ଆସନ ଉପରେ ତିନି ଦଳର ଆଖି । ବିଜେଡିରୁ ପୁଣି ଲଢ଼ିପାରନ୍ତି ଅଶୋକ ! ପ୍ରାର୍ଥୀ ଚୟନ ନେଇ ବିଜେପି-କଂଗ୍ରେସର ଅଙ୍କକଷା ।

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ । ତେବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧିନସ୍ଥ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ ଲଗାତର ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଇନି। ଦୁଇ ଥର ଯାକ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଛନ୍ତି । ଅପରପକ୍ଷେ ବହୁ ଭୋଟ୍ ବ୍ୟବଧାନରେ ବିଜେଡିର ହିଁ ଜିତାପଟ ହୋଇଛି। କିନ୍ତୁ ଚଳିତଥର ବିଜେଡି ଦୁର୍ଗକୁ ଧସେଇ ପସିବାକୁ ଉଭୟ ବିଜେପି ଓ କଂଗ୍ରେସ କି ଗୋଟିଚାଳନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

publive-image୨୦୧୪ ନିର୍ବାଚନରେ ଏଠାରେ ୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅମୀୟ ଦାଶଙ୍କୁ ୩୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଶିବାନନ୍ଦ ରାୟ ତୃତୀୟ ସ୍ଥାନରେ ଥିଲେ । ସେହିଭଳି ୨୦୦୯ରେ ମଧ୍ୟ ଏଠାରେ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ପ୍ରତାପ ଜେନାଙ୍କୁ ପରାସ୍ତ କରିଥିଲେ । ସେହିଥର ବିଜେପି ପ୍ରାର୍ଥୀ ସମୀର ମହାନ୍ତି ତୃତୀୟ ସ୍ଥାନରେ ଥିଲେ । କିନ୍ତୁ ବର୍ତ୍ତମାନ ପାଣିପାଗ ପୂରା ବଦଳିଯାଇଛି । ପ୍ରତାପ ଜେନା ଏବେ ବିଜେଡିରେ ମିଶିଯାଇଛନ୍ତି । ସେପଟେ ସମୀର ମହାନ୍ତି ବିଜେପିର ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ ବି ଏକାମ୍ରରେ ପ୍ରାର୍ଥୀ ହେବାକୁ ଆଉ ଆଗ୍ରହୀ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।

ଆଗାମୀ ଏପ୍ରିଲ ୨୩ ତାରିଖରେ ନିର୍ବାଚନ ପାଇଁ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ତୃତୀୟଥର ପାଇଁ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି । ଏଠାରେ ବିଜେଡି ଟିକେଟ୍ ପାଇଁ ଆଉ ଜଣେ ପ୍ରମୁଖ ଦାବିଦାର ଥିଲେ ବିଜେଡି ଭୁବନେଶ୍ବର ଜିଲ୍ଲାର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ। ଗତ କିଛି ମାସ ହେଲା ସେ ଏକାମ୍ରରେ ବିଭିନ୍ନ ସ୍ଥାନରେ ସଭାସମିତି କରି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ବେଶ୍ କସରତ କରିଥିଲେ । କିନ୍ତୁ ଦଳରୁ ତାଙ୍କୁ କୌଣସି ପ୍ରକାର ସବୁଜ ସଙ୍କେତ ମିଳିଲା ନାହିଁ। ଯେଉଁଥି ପାଇଁ ବାବୁ ସିଂହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଲେ । ଅପରପକ୍ଷେ ଏହା ଅଶୋକ ପଣ୍ଡାଙ୍କ ଟିକେଟ୍ କନଫର୍ମ କରିବାକୁ ବାଟ ଫିଟାଇଲା ବୋଲି ଚର୍ଚ୍ଚା ଜୋର ଧରିଛି ।

publive-imageସେହିପରି ବାବୁ ସିଂହଙ୍କ ଯୋଗଦାନ ପରେ ବିଜେପି ରାଜନୀତି ରୋଚକ ସ୍ଥିତିକୁ ଆସିଯାଇଛି । ନିକଟରେ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇ ନିଜର ପତିଆରା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ବାବୁ । କିନ୍ତୁ ଏକାମ୍ରରେ ଗତଥରର ପ୍ରାର୍ଥୀ ଅମୀୟ ଦାଶ ପୁନର୍ବାର ପ୍ରାର୍ଥୀ ହେବାନେଇ ବିଜେପି ପକ୍ଷରୁ ପରୋକ୍ଷରେ ସଙ୍କେତ ମିଳିଥିଲା । ଯେଉଁଥି ପାଇଁ ଅମୀୟ ମଧ୍ୟ ଗତ କିଛି ମାସ ହେଲା ତାଙ୍କ ପ୍ରଚାର ଅଭିଯାନ ଜୋରଦାର୍ କରିସାରିଥିଲେ । ହେଲେ ବାବୁ ସିଂହଙ୍କୁ ଏକାମ୍ରରେ ପ୍ରାର୍ଥୀ କରାଯିବା ସର୍ତ୍ତରେ ତାଙ୍କୁ ବିଜେପିରେ ମିଶାଯାଇଛି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ତେବେ ପ୍ରାର୍ଥିତ୍ବକୁ ନେଇ ବିବାଦ ବଢ଼ିବାରେ ଲାଗିଥିବାବେଳେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତାହା ଏବେ ଗେରୁଆ କ୍ୟାମ୍ପର ବଡ଼ ପ୍ରଶ୍ନଭାବେ ଉଭା ହୋଇଛି ।

ଅନ୍ୟପଟେ ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦେବାକୁ କଂଗ୍ରେସ କସରତ କରୁଥିବା ଦେଖିବାକୁ ମିଳୁଛି । ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମି ମହାପାତ୍ର କଂଗ୍ରେସ ଟିକେଟ୍ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି । ତାଙ୍କ ନେତୃତ୍ବରେ କଂଗ୍ରେସର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ର ଜୋରଦାରଭାବେ ଚଳାଇ ରଖିଛନ୍ତି । ଗତ ଦୁଇଟି ନିର୍ବାଚନରେ ରଶ୍ମି ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ ବି ସେପରି ଆଖିଦୃଶିଆ ସଫଳତା ପାଇ ନଥିଲେ । କିନ୍ତୁ ଜଣେ ଟାଣୁଆ ସଂଗଠକ ଭାବେ ତାଙ୍କର ବେଶ୍ ପରିଚୟ ରହିଛି । ଏଥର କଂଗ୍ରେସ ପ୍ରାର୍ଥୀ ଭାବେ ସେ ବିଜେଡି ଓ ବିଜେପିକୁ ସେ କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି । ରଶ୍ମିଙ୍କ ବାଦ୍ ଗତଥରର ପ୍ରାର୍ଥୀ ଶିବାନନ୍ଦ ରାୟ ମଧ୍ୟ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବାରୁ ତାଙ୍କ ପ୍ରାର୍ଥିତ୍ବ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଏବେ ଦଳୀୟ ହାଇକମାଣ୍ଡ କାହାକୁ ବାଛିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe