କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଏବର୍ଷ ଦୀପାବଳିରେ ଫୁଟିବନି ବାଣ । ଦିଲ୍ଲୀରେ ଯେଉଁଭଳି ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବାଣ ତିଆରି, ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେଜ୍ରିୱାଲ । ଚଳିତବର୍ଷ ନଭେମ୍ବର ୪ରେ ଦୀପାବଳି ପଡୁଛି । କିନ୍ତୁ ଏହାପୂର୍ବରୁ ଟ୍ୱିଟ୍ କରି କେଜ୍ରିୱାଲ କହିଛନ୍ତି, ଏବର୍ଷ ଦୀପାବଳିରେ ମଧ୍ୟ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଯିବ । ଯାହାଦ୍ୱାରା ପ୍ରଦୂଷଣ ବଢିବନି ଓ ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯିବ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଗତ ୩ ବର୍ଷ ହେବ ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବହୁତ ଅଧିକ ରହୁଛି । ଯାହାକୁ ଦୃଷ୍ଟିରେ ରଖି ଗତ ବର୍ଷ ମଧ୍ୟ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଯାଇଥିଲା । ସେହିଭଳି ଚଳିତଥର ମଧ୍ୟ ବାଣ ବିକ୍ରି ଓ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ଯାହାଦ୍ୱାରା ହଜାର ହଜାର ଜୀବନ ବଞ୍ଚିଯିବ । ଗତବର୍ଷ ବାଣ ବିକ୍ରି ବନ୍ଦ ହେବାରୁ ବାଣ ବ୍ୟବସାୟୀଙ୍କର ବିପୁଳ କ୍ଷତି ହୋଇଥିଲା । ତେଣୁ ଏଥର କୌଣସି ବାଣ ତିଆରି ନ କରିବାକୁ ବ୍ୟବସାୟୀଙ୍କୁ ଅପିଲ କରିଛନ୍ତି କେଜ୍ରିୱାଲ ।
पिछले 3 साल से दीवाली के समय दिल्ली के प्रदूषण की खतरनाक स्तिथि को देखते हुए पिछले साल की तरह इस बार भी हर प्रकार के पटाखों के भंडारण, बिक्री एवं उपयोग पर पूर्ण प्रतिबंध लगाया जा रहा है। जिससे लोगों की जिंदगी बचाई जा सके।
— Arvind Kejriwal (@ArvindKejriwal) September 15, 2021
ଯଦି ଏବେଠୁ ଘୋଷଣା ନ କରାଯାଏ ତେବେ ଦୀପାବଳିକୁ ଦୃଷ୍ଟିରେ ରଖି ବାଣ ନିର୍ମାଣ ଆରମ୍ଭ ସହ ଏହାର ବିକ୍ରି ମଧ୍ୟ ହେବ । ତେଣୁ ବାଣ ତିଆରି ପୂର୍ବରୁ ଏଭଳି ନିଷ୍ୱତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଏହାପୂର୍ବରୁ ବାଣ ବ୍ୟାନକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । କିନ୍ତୁ ଏନଜିଟି ପକ୍ଷରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ସେଥିରେ ଦଖଲ ନଦେବାକୁ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା । ଏନଜିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁଠି ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି ସେଠାରେ ବାଣ ଫୁଟାଇବା ଓ ବିକ୍ରି ଉପରେ ବ୍ୟାନ୍ ରହିବ ।ସେହିଭଳି ଯେଉଁ ଅଞ୍ଚଳରେ ବାୟୁର ଗୁଣବତ୍ତା ଭଲ ରହିଛି ସେଠାରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇପାରିବ । ତେଣୁ ଏନଜିଟି ପକ୍ଷରୁ ଯେଉଁ କଟକଣା ଲଗାଯାଇଛି ତାହା ବିରୋଧରେ ଦାଖଲ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।