ଟୁଇଟରରେ କାହିଁକି ଟ୍ରେଣ୍ଡ କରୁଛି #Reject Zomato । ଜାଣନ୍ତୁ, ଏହା ପଛର ଅସଲ କାରଣ…

183

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ । ଏଥର ହିନ୍ଦୀ ଭାଷାକୁ ନେଇ ଏହି ଫୁଡ୍ ଡେଲିଭରୀ କମ୍ପାନୀ ଓ ଜଣେ ଗ୍ରାହକଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ଯେ, ଜୋମାଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିବାକୁ ପଡିଛି ।

ପୂରା ଘଟଣା ଥିଲା କିଛି ଏପରି – ଚେନ୍ନାଇର ଜଣେ ଗ୍ରାହକ ଜୋମାଟୋ ଉପରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ, ଜୋମାଟୋ କମ୍ପାନୀର ଜଣେ କର୍ମଚାରୀ ତାଙ୍କ ସହିତ ଭାଷାକୁ ନେଇ ଯୁକ୍ତି କରିଥିଲେ । ଯାହାର ସ୍କ୍ରିନ୍ ସଟ୍ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ବିକାଶ ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପରେ ଏହା ତାଙ୍କ ପାଖକୁ ଆସିନଥିଲା । ଏହାପରେ ସେ ଏନେଇ ଜୋମାଟୋ କମ୍ପାନୀ ସହ ସମ୍ପର୍କ କରିଥିଲେ । ହେଲେ ଏହି ସମୟରେ କମ୍ପାନୀର ପ୍ରତିନିଧି ବିକାଶଙ୍କ ସହିତ ହିନ୍ଦୀରେ କଥା ହେବାକୁ କହିଥିଲେ । ହେଲେ ବିକାଶ ତାଙ୍କୁ ତାମିଲରେ କଥା ହେବାକୁ କହିଥିଲେ । ଯାହାକୁ ନେଇ ଦୁହିଁଙ୍କ ଭିତରେ କିଛି କଥା କଟାକଟି ହୋଇଥିଲା ।

ଏହି ସମୟରେ ଜୋମାଟୋର କମ୍ପାନୀର ପ୍ରତିନିଧି କହିଥିଲେ, ହିନ୍ଦୀ ଆମର ଜାତୀୟ ଭାଷା, ତେଣୁ ସମସ୍ତେ ଏହି ଭାଷାକୁ କିଛି କିିଛି ଶିଖିବା ଉଚିତ୍ । ତା ସହିତ ତାଙ୍କ ଟଙ୍କା ମଧ୍ୟ ତାଙ୍କୁ ରି-ଫଣ୍ଡ କରାଯାଇନଥିଲା । ଯେହେତୁ ସେ ହିନ୍ଦୀ ଜାଣିନଥିଲେ । ହେଲେ ଏହି କଥାକୁ ବିକାଶ ନିଜର ଟୁଇଟରେ ପୋଷ୍ଟ କରିବା ସହିତ କମ୍ପାନୀ ଉପରେ ଅଭିଯୋଗ ଆଣିଥିଲେ । ଖାଲି ସେତିକି ନୁହେଁ, ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ ବୋଲି ସେ କହିଥିଲେ । ଯାହାକି କିଛି ସମୟ ଭିତରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

ସ୍ଥିତି ଏମିତି ହୋଇଗଲା ଯେ, ଶେଷକୁ ଜୋମାଟୋ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି କ୍ଷମା ପ୍ରାର୍ଥନା କରିଛି । ଏଥିସହିତ ଜୋମାଟୋ କଷ୍ଟମର କେୟାର ଏଜେଣ୍ଟଙ୍କ ଏପରି ବ୍ୟବହାର ପାଇଁ ମଧ୍ୟ ଜୋମାଟୋ କ୍ଷମା ମାଗିଛି । ତେବେ ଆଗାମୀ ଥର ଜୋମାଟୋ ତାଙ୍କୁ ଆହୁରି ଭଲ ସେବା ଦେବାକୁ ଚେଷ୍ଟା କରିବ ବୋଲି ନିଜ ବୟାନରେ କହିଛି ।  ଏହି ଘଟଣା ଦେଶରେ ଏତେ ଚର୍ଚ୍ଚିତ ହୋଇଯାଇଥିଲା ଯେ, ଡିଏମକେ ସାଂସଦ ବିକାଶଙ୍କ ଟୁଇଟକୁ ରି-ଟୁଇଟ୍ କରି ଜୋମାଟୋକୁ ଉତ୍ତର ମାଗିଥିଲେ । ସେ କହିଥିଲେ, ହିନ୍ଦୀ କେବେଠୁ ଜାତୀୟ ଭାଷା ହୋଇଗଲାଣି? ତାମିଲନାଡୁରେ ଗ୍ରାହକଙ୍କୁ କାହିଁକି ହିନ୍ଦୀ ଜାଣିବା ଦରକାର । କେଉଁ ଆଧାରରେ ତାଙ୍କୁ ଅତି କମରେ ହିନ୍ଦୀ ଜାଣିବା ଦରକାର ବୋଲି ସେ ପ୍ରଶ୍ନ କରିଥିଲେ ।