ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଗ୍ରୀଡକୋ ଋଣ ପାଇଁ ଗ୍ୟାରେଣ୍ଟର ରହିବେ ରାଜ୍ୟ ସରକାର 

859

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଂଜୁରୀ ଦିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ନଭେମ୍ବରରୁ ମାର୍ଚ୍ଚ ପର୍ୟ୍ୟନ୍ତ ଖରିଫ ଓ ମେରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ ।

ସେହିପରି ରାଜ୍ୟ କ୍ୟାବିନେଟ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଂଜୁରୀ ଦେଇଛନ୍ତି । କୋଭିଡ ମହାମାରୀରେ ପ୍ରଭାବିତ କୃଷକମାନଙ୍କୁ ତୁରନ୍ତ ଲାଭ ପ୍ରଦାନ ପାଇଁ ଏହି ଅଧିନିୟମ ଅଣାଯିବ ।

ଅନ୍ୟପକ୍ଷରେ, ଗ୍ରୀଡକୋ ଋଣ କରିବାକୁ ୨୬ ଶହ କୋଟିର ଗ୍ୟାରେଣ୍ଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି । ଏହି ଋଣ ପାଇଁ ରାଜ୍ୟ ସରକାର ନିଜେ ଗ୍ୟାରେଣ୍ଟର ରହିବେ । ରାଜ୍ୟ କ୍ୟାବିନେଟରେ ପୁରୀ ପାଇଁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଓ ପୁରୀ ସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି । ଏ ସମସ୍ତ କାର୍ୟ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।