ଦୁର୍ଘଟଣାର ୧୮ଘଂଟା ପରେ ବି ଅସ୍ପଷ୍ଟ କାରଣ: ଦ୍ରତଗତି ନା ଆଉ କିଛି, ସ୍ପଷ୍ଟ କରୁନି ପ୍ରଶାସନ

113

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ନିକଟରେ ବସ ଓଲଟି ୫ଜଣଙ୍କ ମୃତ୍ୟୁ ହେବା ଖବର ସମସ୍ତଙ୍କ ସ୍ତବ୍ଧ କରି ଦେଇଛି । ମୃତକମାନେ କେଉଁ ଅଂଚଳର ଓ କିଏ? ଦୁର୍ଘଟଣା କେମିତି ଘଟିଲା? ଦୁର୍ଘଟଣା ପାଇଁ ଦାୟୀ କିଏ? ଏସବୁକୁ ନେଇ ଗତ ରାତିରୁ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ବସରୁ ଉଦ୍ଧାର ହୋଇଥିବା କିଛି ଯାତ୍ରୀ ଏବେ ବି କଟକ ବଡ ମେଡିକାଲରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।

ରାତି ପ୍ରାୟ ୮ଟା ୪୫ମିନିଟ୍
ସ୍ଥାନ – ବାରବାଟୀ ଓଭରବ୍ରିଜ୍, ଯାଜପୁର
ପୁରୀରୁ କୋଲାକାତା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ କାଳିଆନନା, ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ ତଳକୁ ଖସି ପଡିଥିଲା । ବସ୍ ଭିତରେ ଫଶି ରହିଥିଲେ ୫୦ରୁ ଅଧିକ ଯାତ୍ରୀ । ବସ ଭିତରୁ ଶୁଭୁଥିଲା ଆର୍ତ ଚିକ୍ରାର । ହେଲେ, ବାହାରିବା ପାଇଁ ବାଟ ନଥିଲା । ବସ ପଡିବାର ଶବ୍ଦ ଶୁଣି ଦୁର୍ଘଟଣାସ୍ଥଳରେ ପହଁଚିଥିଲେ ସ୍ଥାନୀୟ ଲୋକେ । କିଛି ସମୟ ପରେ ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚିଥିଲେ । ବସକୁ କାଟି ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ପାଖରେ ଥିବା ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ । ହେଲେ, ସେତେବେଳକୁ ୫ଜଣ ଯାତ୍ରୀ ଆଖି ବୁଜି ଦେଇଥିଲେ । ତେବେ ଯେଉଁମାନେ ସୌଭାଗ୍ୟବସତଃ ଅଳ୍ପ ଆହତ ହୋଇ ବଂଚି ଯାଇଛନ୍ତି, ସେମାନେ କହିଛନ୍ତି, ସେହି ଭୟଙ୍କର ମୁହୁର୍ତର କାହାଣୀ ।

ବଡ ଦୁର୍ଘଟଣା ହୋଇଥିବାରୁ ତତ୍ପର ହୋଇ ଉଠିଥିଲା ପ୍ରଶାସନ । ଆହତଙ୍କୁ ହସ୍ପିଟାଲରେ ପହଁଚାଇବା ପାଇଁ ୨୦ରୁ ଅଧିକ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା । ୪୬ ଆହତ ଯାତ୍ରୀଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପାଇଁ ସ୍ୱତନ୍ତ୍ର ଦଳ ପ୍ରସ୍ତୁତ କରି ଚିକିତ୍ସା କରାଯାଇଥିଲା । ଆହତଙ୍କ ମଧ୍ୟରୁ ୨୧ ଜଣ ଡିସଚାର୍ଜ ହୋଇଛନ୍ତି । କିନ୍ତୁ ଏବେବି ୫ଜଣ ଗୁରୁତର ଆଇସିୟୁରେ ଭର୍ତି ହୋଇଛନ୍ତି । ଆଉ ୧୪ଜଣ ବଡ ମେଡିକାଲର ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୫ଜଣଙ୍କ ପରିଚୟ ମିଳିଛି । ସୂଚନା ଅନୁସାରେ ସେମାନଙ୍କ ଘର ପଶ୍ଚିମବଂଗ ମେଦିନପୁର ଅଂଚଳରେ । ବଡ କଥା ହେଉଛି, ମୃତକଙ୍କ ମଧ୍ୟରେ ୨ଜଣ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିଲେ । କିନ୍ତୁ ଘରେ ପହଁଚିବା ପୂର୍ବରୁ ଦୁର୍ଘଟଣା ସେମାନଙ୍କ ଜୀବନ ନେଇଛି । ଖବର ପାଇ ଧର୍ମଶାଳାରେ ପହଁଚିଛନ୍ତି ସେମାନଙ୍କ ସମ୍ପର୍କୀୟ । ସେହିପରି ଅଧିକାଂଶ ଯାତ୍ରୀ ପଶ୍ଚିମବଂଗର ହୋଇଥିବାରୁ, ପଶ୍ଚିମବଂଗ ସରକାରଙ୍କ ପ୍ରତିନିଧି ଆସି ପହଁଚିଛନ୍ତି ।

ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି, ଧର୍ମଶାଳା ପୁଲିସ ନିଜ ଆଡ଼ୁ ବସ୍ ଡ୍ରାଇଭର ନାଁରେ ଏତଲା ଦେଇଛି । କୁହାଯାଉଛି, ବସଟି ଦ୍ରୁତ ଗତିରେ ଥିବାରୁ ଏତେବଡ ଦୁର୍ଘଟଣା ଘଟିଛି । କିନ୍ତୁ ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପତା ମିଳିନି । ଡ୍ରାଇଭର ସାମନାକୁ ଆସିଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ।