କନକ ବ୍ୟୁରୋ: ଯେଉଁ ବୟସରେ ଖେଳକୁଦ ସହ ପାଠ ପଢିବା କଥା ସେ ବୟସରେ ଉଠାଉଛନ୍ତି ପରିବାରର ବୋଝ । ବାପା , ମା’ଙ୍କ ପାଇଁ ମାତ୍ର ୮ ବର୍ଷ ବୟସରେ ଅଟୋ ଚଳାଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ବାସିନ୍ଦା ରାଜଗୋପାଳ ରେଡ୍ଡି । ଏହି ବୟସ ମାତ୍ର ୮। କିନ୍ତୁ ଏତେ କମ୍ ବୟସରେ ବି ସେ ପରିବାର ଚଳାଇବାର ଦାୟିତ୍ବକୁ ଯେଭଳି ନିର୍ବାହ କରୁଛନ୍ତି ତାହା ଖୁବ୍ ହୃଦୟସ୍ପର୍ଶୀ। ରାଜା ଗୋପାଳଙ୍କ ବାପା ମା’ ଦୃଷ୍ଟିଶକ୍ତି ହରାଇଛନ୍ତି। ତାଙ୍କର ୨ ଜଣ ସାନ ଭାଇ ଭଉଣୀ ମଧ୍ୟ ଅଛନ୍ତି। ପରିବାରର ବୋଝ ଉଠାଇବା ଏବଂ ଦୃଷ୍ଟିହୀନ ବାପା ମା’ଙ୍କୁ ୨ ଓଳି ୨ ମୁଠା ଖାଇବାକୁ ଦେବାପାଇଁ ରାଜାଗୋପାଳ ଏକ ଇଲେକ୍ଟ୍ରିକ ଅଟୋ ଚଳାଉଛନ୍ତି। ଇଲେକ୍ଟ୍ରିକ ଅଟୋ ଦ୍ବାରା ସେ ବଜାରରେ ଚାଉଳ, ଡାଲି ଆଦି ସାମଗ୍ରୀ ଯୋଗାଣ କରୁଛନ୍ତି।
ଚିତ୍ତୋର ଜିଲ୍ଲାର ଚନ୍ଦ୍ରଗିରି ମଣ୍ଡଳ ଅଧୀନସ୍ଥ ଗାଙ୍ଗୁଡୁପାଲ୍ଲେ ଗ୍ରାମରେ ତାଙ୍କ ଘର। ରାଜା ଇ-ଅଟୋ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ତାଙ୍କର ସଂଘର୍ଷ ପଦାକୁ ଆସିଛି। ଇଲେକ୍ଟ୍ରିକ୍ ଅଟୋ ଚଲାଇ ସେ ଯେତିକି ରୋଜଗାର କରୁଛନ୍ତି ସେତିକିରେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ ହୋଇଯାଉଛି। ଏତେ କମ୍ ବୟସରୁ ଅଟୋ ଚଳାଉଥିବାରୁ ପୁଲିସ ଗୋପାଳଙ୍କୁ ଥରେ ଧରି ନେଇଥିଲା । ତେବେ ଗୋପାଳଙ୍କ ପରିବାରର ଦୁର୍ଦ୍ଦଶା କଥା ଶୁଣିବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ଅଟୋ ନ ଚଳାଇ ଅନ୍ୟ କୌଣସି କାମ କରିବାକୁ ପୁଲିସ ତାଙ୍କୁ ବାଧ୍ୟ କରିଥିଲେ ମଧ୍ୟ ଗୋପାଳଙ୍କ ପାଖରେ ଅନ୍ୟ କିଛି ବାଟ ନଥିବାରୁ ସେ ଅଟୋ ଚଳାଇବାକୁ ବାଧ୍ୟ ହେଉଛନ୍ତି। ତୃତୀୟ ଶ୍ରେଣୀରେ ପଢ଼ୁଥବା ଗୋପାଳ ସ୍କୁଲ୍ ୟୁନିଫର୍ମରେ ହିଁ ଅଟୋ ଚଳାଉଥିବା ଦେଖିବାକୁ ମିଳିଛି।