ବିଶ୍ୱର ୮ ଜଣ ସୁପର ଧନୀ, ଏମାନଙ୍କ ପାଖରେ ଅଛି ବିପୁଳ ସଂପତି । ଯାହା ବିଶ୍ୱର ଅଧା ଗରୀବଙ୍କ ମୋଟ ସଂପତି ସହ ସମାନ । ଏମିତି ଏକ ଚାଂଚଲ୍ୟକର ତଥ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶ୍ୱ ଅର୍ଥନୀତି ଫୋରମରେ "ଅକ୍ସଫାମ୍' ପକ୍ଷରୁ ପ୍ରକାଶ ପାଇଛି ଏଭଳି ତଥ୍ୟ । ଅକ୍ସଫାମର ନୀତି ନିର୍ଦ୍ଧାରକ ମାକ୍ସ ଲସନଙ୍କ କହିବା ଅନୁଯାୟୀ ଏହା ଅର୍ଥନୀତି କ୍ଷେତ୍ରରେ ଏକ ଅସାମଞ୍ଜସ୍ୟ ପରିସ୍ଥିତି ସୃଷ୍ଟି କରୁଛି ।

Advertisment

ସ୍ୱିଜରଲାଣ୍ଡ ଦାଭୋସରେ ଅନୁଷ୍ଠିତ ୱର୍ଲ୍ଡ ଇକୋନମିକ୍ ଫୋରମର ବାର୍ଷିକ ସମ୍ମିଳନୀରେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ୨୦୧୦ରେ ବିଶ୍ୱର ମୋଟ ଗରୀବଙ୍କ ଅଧା ସଂପତି ସହ ସମାନ ପରିମାଣର ସଂପତି ଥିଲା ୪୩ ଜଣଙ୍କ ପାଖରେ । କିନ୍ତୁ ଆକଳନରୁ ଜଣାପଡିଛି ଯେ ୨୦୧୬ ସୁଦ୍ଧା ଏପରି ବ୍ୟକ୍ତିଙ୍କ ସଂଖ୍ୟା ହୋଉଛି ୮ ।

ବିଶ୍ୱର ମୋଟ ଗରିବଙ୍କ ୫୦ ପ୍ରତିଶତ ଅର୍ଥାତ୍ ୩୬୦ କୋଟି ଗରିବଙ୍କ ପାଖରେ ଥିବା ସଂପତିର ପରିମାଣର ଏହି ୮ ଜଣ ସୁପର ଧନୀଙ୍କ ପାଖରେ ରହିଛି । ଏହି ୮ ଜଣ ବିତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଆମେରିକାର ୬ ଜଣ ବ୍ୟବସାୟୀ, ସ୍ପେନର ଜଣେ ଓ ମେକ୍ସିକୋର ଜଣେ ।

ଆମେରିକାର ରଷ୍ଟ୍ରପତି ଭାବେ ଡୋନାଲ୍ଟ ଟ୍ରଂପଙ୍କ ବିଜୟ ଓ ୟୁରୋପୀୟ ମହାସଂଘରୁ ବ୍ରିଟେନର ବିଦାୟ ଏପରି ଅର୍ଥନୈତିକ ଅସାମଂଜସ୍ୟର କାରଣ ବୋଲି ଅକ୍ସଫାମ୍ ରିପୋର୍ଟରେ କୁହାଯାଇଛି ।

ଭାରତରେ ମଧ୍ୟ ସୁପର ଧନୀଙ୍କ ସଂଖ୍ୟା କମ୍ ନୁହେଁ । ମାତ୍ର ୧ ପ୍ରତିଶତ ଧନୀ ଲୋକଙ୍କ ପାଖରେ ରହିଛି ଦେଶର ମୋଟ ସଂପତିର ୫୮ ପ୍ରତିଶତ । ସ୍ୱିଜରଲାଣ୍ଡ ଦାଭୋସରେ ବିଶ୍ୱ ଅର୍ଥନୀତି ଫୋରମର ବାର୍ଷିକ ସମ୍ମିଳନୀରେ ଅକ୍ସଫାମ୍ ଏପରି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଦେଶରେ ରହିଛନ୍ତି ୮୪ ଜଣ ଏପରି ଧନୀ ବ୍ୟକ୍ତି ଯାହାଙ୍କ ପାଖରେ ରହିଛି ମୋଟ ୨୪୮ ବିଲିଅନ୍ ଡଲାର ମୂଲ୍ୟର ସଂପତି ।

ରିପୋର୍ଟରେ ଏହା ମଧ୍ୟ ପ୍ରକାଶିତ ହୋଇଛି ଯେ ଦେଶର ୫୭ ଧନୀ ବ୍ୟକ୍ତିଙ୍କ ପାଖରେ ଥିବା ସଂପତିର ପରିମାଣ ୨୧୬ ବିଲିଅନ୍ ଡଲାର । ମୁକେଶ ଅମ୍ବାନିଙ୍କ ପାଖରେ ୯ ଦଶମିକ ୩ ବିଲିଅନ୍ ଡଲାର ମୂଲ୍ୟ ସଂପତି ରହିଥିବା ବେଳେ ଦିଲିପ ସାଙ୍ଗଭି ଓ ଅଜିମ୍ ପ୍ରେମଜୀଙ୍କ ପାଖରେ ରହିଛି ୧୫ ବିଲିଅନ୍ ଡଲାର ମୂଲ୍ୟର ସଂପତି । ଯାହା ପ୍ରମାଣ କରୁଛି ଯେ ଭାରତରେ ଅର୍ଥନୈତିକ ଅସାମଞ୍ଜସ୍ୟ କିଛି କମ୍ ନୁହେଁ ।