କନକ ବ୍ୟୁରୋ : ମୁମ୍ବାଇରେ ବର୍ଷା ଆଣିଲା ସଙ୍କଟ । ଘର ଭୁଷୁଡ଼ି ମଲ୍ଲାଡ ଅଂଚଳରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ମହାରାଷ୍ଟ୍ରରେ ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛିି । ମାୟାନଗରୀର ବିଭିନ୍ନ ଅଂଚଳରେ ବର୍ଷା ପରେ ଜଳବନ୍ଦୀ ଅବସ୍ଥାକୁ ଆସିଯାଇଛି ଅନେକ ଅଂଚଳ । ମୁମ୍ୱାଇର ତଳିଆ ଅଂଚଳରେ ବର୍ଷା ପାଣି ଜମିବାରୁ ଲୋକେ ଜଳବନ୍ଦୀ ହୋଇପଡିଛନ୍ତି ।
ଲଗାଣ ବର୍ଷାରେ ଭୁଷୁଡିଲା କୋଠା । ଚାଲିଗଲା ୧୧ ଜଣଙ୍କ ଜୀବନ । ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ମଲାଡ ଅଂଚଳରେ ଏକ ୪ ମହଲା କୋଠା ଭୁଷୁଡି ଅନେକ ଧନ ଜୀବନ କ୍ଷତି ହୋଇଛି । ଘଟଣାଟି ବୁଧବାର ବିଳମ୍ବିତ ରାତିର । କୋଠା ଭୁଷୁଡିବା ପରେ ତୁରନ୍ତ ସେଠାରେ ଅଗ୍ନିଶମ ବିଭାଗ ଏବଂ ବିଏମସିର ଏକ ଟିମ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । କୋଠା ଘରର ଭଙ୍ଗାରୁଜା ଗଦା ତଳୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ୭ ଜଣଙ୍କ ଚିକିତ୍ସା ଡାକ୍ତରଖାନାରେଚାଲିଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଛନ୍ତି ଏବଂ ୩ଜଣ ବୟସ୍କ ।
ମୌସୁମୀ ବାୟୁ ମହାରାଷ୍ଟ୍ରରେ ପହଁଚିବା ପରେ ସେଠାରେ ଗତ ୨ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ମାୟାନଗରୀରର ଅନେକ ସ୍ଥାନ ଜଳମଗ୍ନ ହୋଇରହିଛି । ରାସ୍ତାରେ କୃତ୍ରିମ ବନ୍ୟା ମଧ୍ୟ ଦେଖିବାକୁ ମିଳିଛି । ମଲାଡର ତଳିଆ ଅଂଚଳ ପାଣିରେ ବୁଡିରହିବା ଫଳରେ ପୁରୁଣା କୋଠାଟି ଭୁଷୁଡି ପଡିଛି । ଘଟଣା ସମୟରେ କୋଠାରେ ୩ଟି ପରିବାର ରହୁଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୯ଜଣ ଅଛନ୍ତି ।
ବିଏମସିର କହିବା ଅନୁଯାୟୀ, ଏହି ଭୁଷୁଡିଥିବା କୋଠା ନିକଟରେ ଆଉ ଏକ କୋଠା ମଧ୍ୟ ଧସି ହୋଇରହିଛି । ତାହା ସମ୍ପୂର୍ଣ୍ଣ ଧସିନଥିଲେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।