କନକ ବ୍ୟୁରୋ : ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଅଣ୍ଡାମାଡ ଘଟଣାରେ ଜଣଙ୍କୁ ଗିରଫ କରାଯିବାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ । ଗିରଫଦାରୀର ପ୍ରତିବାଦରେ ଥାନା ଘେରିଛନ୍ତି ଶହ ଶହ ଗ୍ରାମବାସୀ । ଥାନା ପରିସର ଭିତରେ ପଶିବା ସହ ହୋହାଲା କରିଛନ୍ତି । ଏବଂ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ଛାଡିବା ପାଇଁ ଦାବି କରିଛନ୍ତି । ଗିରଫ ପ୍ରତିବାଦରେ ଏତେ ସଂଖ୍ୟାରେ ଲୋକ ଥାନାକୁ ଆସିଥିଲେ ଯେ ଭିତରର ଗେଟ୍ ବନ୍ଦ କରି ଜଗି ରହିଥିଲେ ପୋଲିସ ।

Advertisment

ଆଉ ବାହାରେ ହୋହଲା କରୁଥିଲେ ଗ୍ରାମବାସୀ । ଗତକାଲି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଝରିଗାଁରେ ବିରୋଧ କରାଯାଇଥିଲା । ଇଛାପୁର ପଂଚାୟତ ଧୁମାମ ଗାଁକୁ ପ୍ରଚାରରେ ଯାଇଥିବାବେଳେ ଶତାଧିକ ଗ୍ରାମବାସୀ ତାଙ୍କ ଗାଡିକୁ ଘେରି ଯାଇ ଅଣ୍ଡାମାଡ କରିଥିଲେ । ଗାଁର କିଛି ଲୋକ ହାତରେ ଠେଙ୍ଗା ଓ ବାଡି ଧରି ତୀବ୍ର ବିରୋଧ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତିବା ପାଇଁ ଶାସକ ଦଳର ନେତା ଓ କର୍ମୀମାନେ ପ୍ରାଣବିକଳରେ ଗାଡି ଧରି ଚମ୍ପଟ ମାରିଥିଲେ ।

ପଂଚାୟତ ଘର ଉଦଘାଟନ ପାଇଁ ଆସିନଥିବାବେଳେ ଏବେ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ ଲୋକେ । ବୁଧବାର ନିଜ ବ୍ଲକ ଚନ୍ଦାହାଣ୍ଡିରେ ରାତିରେ ପ୍ରଚାର କରୁଥିବାବେଳେ ବିରୋଧ କରିଥିଲେ ଗ୍ରାମବାସୀ । ତେବେ ପ୍ରଶ୍ନ ଉଠୁଛି ସାଂସଦ ରମେଶ ମାଝୀଙ୍କୁ ତାଙ୍କ ନିଜ ସଂସଦୀୟ କ୍ଷେତ୍ରରେ ଏତେ ବିରୋଧ କାହିଁକି କରାଯାଉଛି । ଏହା ଲୋକଙ୍କ ଆକ୍ରୋଶ ନାଁ ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ରହିଛି ।