ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ : ଭବାନୀପାଟଣାରେ ମନ୍ତ୍ରୀଙ୍କ ଘର ଆଗରେ ବିଜେପିର ଅଣ୍ଡାମାଡ଼

104

କନକ ବ୍ୟୁରୋ : ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି। ଆଖି ତରାଟି ଦେଲା ପରି ସାଂଘାତିକ ଅପରାଧ ରଚିଛି ଗୋବିନ୍ଦ। ଏପରି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ଛନ୍ଦି ହୋଇପଡ଼ିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅଭିଯୁକ୍ତ ଗୋବିନ୍ଦ ସହ ମନ୍ତ୍ରୀଙ୍କ ଘନିଷ୍ଠତାର ପୁଳା ପୁଳା ପ୍ରମାଣ ଏବେ କଳାହାଣ୍ଡିରୁ ରାଜଧାନୀ ଯାଏ ଘୂରି ବୁଲୁଛି ।

ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତ ଯେ ତା’ର ସାମ୍ରାଜ୍ୟ ବିସ୍ତାର କରିଥିଲା, ତାହା ଆଉ ଅଛପା ହୋଇ ରହିନାହିଁ । ନିଜର ଅତି ଘନିଷ୍ଠ ସହଯୋଗୀର କଳା କାରନାମା କିପରି ମନ୍ତ୍ରୀ ଜାଣିପାରିଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଧରି ସରକାରଙ୍କୁ ଅଡ଼ୁଆରେ ପକାଇବାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି । ଶ୍ରୀ ମିଶ୍ର ଗୃହ ବିଭାଗର ମନ୍ତ୍ରୀ ହୋଇଥିବାରୁ ପୁଲିସ କିପରି ନିରପେକ୍ଷ ତଦନ୍ତ କରିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ ହୋଇଛି ।

ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଏକାନ୍ତ ଅନୁଗତ ଥିବା ଗୋବିନ୍ଦ ସାହୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଭାବଶାଳୀ। ସେଠାରେ ସବୁ ପ୍ରକାର ଠିକା କାମ ଗୋବିନ୍ଦ ହିଁ ନିୟନ୍ତ୍ରଣ କରୁଥିଲା । ମହାଲିଙ୍ଗ କଲେଜ ପରିଚାଳନା କମିଟି ସଭାପତି ରହି ଅନୈତିକ କାର୍ଯ୍ୟ ଚଳାଉଥିଲା ବୋଲି ଅଭିଯୋଗ ଉଠିଛି । ଏହି କଲେଜରେ ବିଧାୟକଙ୍କ ହାତପାଣ୍ଠି ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ମଧ୍ୟ ଖର୍ଚ୍ଚ ହୋଇଛି ।

ଗୋବିନ୍ଦ ମନ୍ତ୍ରୀଙ୍କର ଏତେ ଘନିଷ୍ଠ ଯେ ସେହି କଲେଜର ଅତିଥି ହେବା ପାଇଁ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ସେଠାରେ ପହଞ୍ଚି ଯାଉଥିଲେ । ମନ୍ତ୍ରୀ ପ୍ରତାପ ଜେନା, ନିରଞନ ପୂଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ସେଠାରେ ମଞ୍ଚମଣ୍ଡନ କରିଥିଲେ । ସମସ୍ତେ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । ଏବେ ଗୋବିନ୍ଦର ମୁଖା ଖୋଲିଲା ପରେ ମନ୍ତ୍ରୀମାନେ ବି ସାଧାରଣରେ ସନ୍ଦେହ ଘେରକୁ ଆସିଯାଇଛନ୍ତି । ଆହୁରି ମଧ୍ୟ ସ୍କୁଲ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ପରି ସ୍ପର୍ଶକା‌ତର ଅଭିଯୋଗ ଉପରେ ସ୍ଥାନୀୟ ପୁଲିସ ଏ ଯାଏ ପାଟି ଫିଟାଉ ନାହିଁ ।