ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ବିଜେପି କର୍ମୀ କଲେ ଅଣ୍ଡାମାଡ ।
କନକ ବ୍ୟୁରୋ : ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ । ଭବାନୀପାଟଣାରୁ ଫେରୁଥିବା ବେଳେ ନର୍ଲା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ବିଜେପି କର୍ମୀ । ମମିତା ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିବା କହିଛନ୍ତି ବିଜେପି କର୍ମୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ।
ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି । ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୦ରୁ ଅଧିକ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।
ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇଥିଲା ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା । ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାପତାକା ପ୍ରଦର୍ଶନ କରୁଥିବା ଯୁବ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ସେଠାରେ ବିରୋଧ କରାଯିବ ବୋଲି ଦଳ ପୂର୍ବରୁ ଚେତାବନୀ ଦେଇଥିଲା । ସେହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଗଡିବାକୁ ଦିଆଯିବ ନାହିଁ ବୋଲି ଦଳ କହିଛି । ଏଥିସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ।