କଡ ଲେଉଟାଇଲା ଭାଗ୍ୟ । ଦିନେ ରାସ୍ତା କଡରେ ବିକୁଥିଲା ଅଣ୍ଡା, ଏବେ ହେବ ବଡ ଅଫିସର । ବିହାର ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲା ଅଣ୍ଡା ଦୋକାନୀ ।

1,104

କନକ ବ୍ୟୁରୋ: ଯେତେବେଳେ ଗରିବ ପିଲାଟିଏ ସ୍ୱପ୍ନ ଦେଖେ କିଛି ବଡ କରିବାକୁ, ସେତେବେଳେ ଅନେକ ବାଧାବିଘ୍ନ ତା ଆଗକୁ ମାଡିଆସେ । ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ, ଏହାରି ଭିତରେ ନିଜ ପାଠପଢାକୁ ଶେଷରେ ବଳିଦାନ ଦେବାକୁ ପଡେ । ହେଲେ ଏହା ପରେ ବି ଯଦି ନିଜ ଭିତରେ ଆତ୍ମବିଶ୍ୱାସ ଆଉ ଭରସା ଥାଏ ତେବେ ସବୁ ସମ୍ଭବ ହୋଇପାରିବ । ଏଭଳି ଏକ ଘଟଣାକୁ ସତ କରି ଦେଖାଇଛନ୍ତି ଜଣେ ଯୁବକ । ଅଣ୍ଡା ବେପାରୀରୁ ସେ ହେବାକୁ ଯାଉଛନ୍ତି ବଡ ଅଫିସର ।

ଏହି ଘଟଣାଟି ହେଉଛି ବିହାରର ଔରଙ୍ଗାବାଦ ଜିଲ୍ଲାର । ବର୍ତ୍ତମାନ ଔରଙ୍ଗାବାଦ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଣ୍ଡା ବିକ୍ରି କରୁଥିବା ବିରେନ୍ଦ୍ର । ଦିନେ ରାସ୍ତା କଡରେ କାଠରେ ତିଆରି ଏକ କ୍ୟାବିନ ଭିତରେ ବସି ଅଣ୍ଡା ବିକ୍ରି କରୁଥିବା ଯୁବକ ଏବେ ହେବାକୁ ଯାଉଛନ୍ତି ବିହାରର ଜଣେ ବଡ ଅଫିସର । କାରଣ ସେ ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇ ନିଜ ସ୍ୱପ୍ନ ପୂରଣ କରିପାରିଛନ୍ତି ବିରେନ୍ଦ୍ର । ନିଜ ସ୍ୱପ୍ନକୁ ପୂରଣ କରିବାକୁ କେତେ ଯେ କଷ୍ଟ କରିନଥିବେ ବିରେନ୍ଦ୍ର । ତେବେ ଆସନ୍ତୁ ଜାଣିବା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ତାଙ୍କୁ କେତେ କଷ୍ଟ କରିବାକୁ ପଡିଥିଲା ।

ବିରେନ୍ଦ୍ର ଘର ଔରଙ୍ଗାବାଦ ବାରୁଣ ପ୍ରଖଣ୍ଡର ଗୋଟିଏ ଛୋଟିଆ ଗାଁ ହାଥିଖାପରେ । ତାଙ୍କ ବାପା ଜୋତା ସିଲେଇ କରି ପରିବାର ଚଳାଉଥିଲେ । ହେଲେ ୨୦୧୨ରେ ବାପାଙ୍କ ମୃତ୍ୟୁ ପରେ ୩ ଭାଇଙ୍କ ଉପରେ ପରିବାରର ବୋଝ ଲଦି ହୋଇଯାଇଥିଲା । ସେଥିପାଇଁ ନିଜ ମାଙ୍କୁ ନେଇ ସେମାନେ ଗାଁ ଛାଡି ସହର ଚାଲିଆସିଥିଲେ ।

ଘରର ସବୁ ଦାୟିତ୍ୱ ବଡ ଭାଇ ଜିତେନ୍ଦ୍ରଙ୍କ ଉପରକୁ ଚାଲିଆସିଥିଲା । ସମସ୍ତେ ସହର ଆସି କର୍ମା ରୋଡରେ ଥିବା ଦଳିତ ବସ୍ତିରେ ରହିଲେ । ନିଜ ଭାଇଙ୍କୁ ସାହାଯ୍ୟ କରିବାରୁ ବିରେନ୍ଦ୍ର ଗୋଟିଏ ଅଣ୍ଡା ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କଲେ । ହେଲେ ପାଠ ପଢା ଛାଡିନଥିଲେ । ଦୋକାନରେ ଗ୍ରାହକ ନଥିବା ସମୟରେ ସେ ବହି ଖୋଲି ପାଠପଢିବାକୁ ବସି ପଡୁଥିଲେ ।

ପାଠ ପ୍ରତି ବିରେନ୍ଦ୍ରଙ୍କ ଆଗ୍ରହ ଦେଖି ସାନ ଭାଇକୁ ଦୋକାନ ଦାୟିତ୍ୱ ଦେଇ ପାଠ ପଢିବାକୁ କହିଥିଲେ ବଡ ଭାଇ ଜିତେନ୍ଦ୍ର । ଆଉ ଏହାପରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଜୋରଦାର ପ୍ରୟାସ କରିଥିଲେ ବିରେନ୍ଦ୍ର । ପଡୋଶୀରେ ରହୁଥିବା ଆଉ ଜଣେ ଛାତ୍ରଙ୍କ ସହ ମିଶି ପାଠ ପଢା ଆରମ୍ଭ କରିଥିଲେ ଆଉ ଏଥିରେ ସଫଳ ହୋଇଥିଲେ । ଜିତେନ୍ଦ୍ର ବିପିଏସସି ପରୀକ୍ଷାରେ ୨୦୧ ରାଙ୍କ ରଖି ସଫଳତା ହାସଲ କରିଛନ୍ତି ।

ଏତେ ବଡ ଚାକିରି କରିବାକୁ ଅନେକ ପିଲା ପରିଶ୍ରମ କରୁଛନ୍ତି । ଏଥିପାଇଁ କୋଚିଂ ମଧ୍ୟ ନେଉଛନ୍ତି । ହେଲେ ଅଣ୍ଡା ଦୋକାନରେ ପରିଶ୍ରମର ଝାଳ ବୁହାଇ ଶେଷରେ ସଫଳତା ହାସଲ କରିଛନ୍ତି ବିରେନ୍ଦ୍ର । ଆଉ ଆର୍ଥିକ ଅନଟନରେ ପାଠପଢା ଛାଡୁଥିବା ପିଲାଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।