କାଲି ରାତିରୁ ୪ ଜିଲ୍ଲାରେ ପଡିବ ତାଲା । ଲକଡାଉନ ବେଳେ ଖୋଲିବନି ଦୋକାନ । ୧୪ ଦିନ ଯାଏଁ ମାଛ, ମାଂସ, ଅଣ୍ଡାର ହେବ ହୋମ୍ ଡେଲିଭରି…

2,195

କନକ ବ୍ୟୁରୋ: କାଲି ରାତିରୁ ୪ ଜିଲ୍ଲାରେ ପଡିବ ତାଲା । ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁରରେ ଝୁଲିବ ତାଲା । କାଲି ରାତିରୁ ୩୧ ଜୁଲାଇ ଯାଏଁ ଲକଡାଉନ ରହିବ ଏହି ସବୁ ଜିଲ୍ଲା । ତେବେ ଲକଡାଉନ ବେଳେ ଦୋକାନ, ବଜାର ବନ୍ଦ ରହିବାକୁ ଥିବା ବେଳେ ଆବଶ୍ୟକ ଅର୍ଥାତ ଜରୁରୀ ସେବାକୁ ବାଦ ଦିଆଯାଇଛି ।

ତେବେ ପରିବା, ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ । ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ହେବା ସହ ଅଣ୍ଡା, ମାଛ, ମାଂସ ଏବଂ ହୋଟେଲ, ରେଣ୍ଟୁରାଣ୍ଟରୁ ଅନଲାଇନ ଅର୍ଡର ତାଲୁ ରହିବ । ଜମାଟୋ, ସ୍ୱିଗି, ଚିଲିକା ଫ୍ରେସ ଆଦି ହୋମ୍ ଡେଲିଭରି ଜାରି ରହିବ ।

ତେବେ ଏହି ଲକଡାଉନ୍‌ ସମୟରେ ଜନସାଧାରଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦୋକାନବଜାର, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବି ବନ୍ଦ ରହିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଅଫିସ ବନ୍ଦ ରହିବ। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ। କେବଳ ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା, ଜଳଯୋଗାଣ, ପରିମଳ, ବିଦ୍ୟୁତ ସରବରାହ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟଳୟ ଚାଲୁ ରହିବ ଓ ଏଥିସହ ଜଡ଼ିତ କର୍ମଚାରୀ ଯାତାୟତ କରିପାରିବେ। ତେବେ, ଲକଡାଉନ୍‌ ଅବଧି କାଳରେ ଏହି ଚାରି ଜିଲ୍ଲା- ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାକୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଏହି ଚାରି ଜିଲ୍ଲାରୁ କେହି ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ।

ଲକଡାଉନ ସମୟ ଭିତରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଇବା ମୂଳ ଲକ୍ଷ୍ୟ । ଆଶାକର୍ମୀ, ଏବଂ ୱାର୍ଡରେ ବିଭିନ୍ନ କମିଟି ମାନେ ଟେଷ୍ଟିଂରେ ସହାୟତା କରୁଛନ୍ତି । ତେଣୁ ଆବଶ୍ୟକୀୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଜାରି ରଖିବେ । ବଡକଥା ହେଉଛି ବିନା କାରଣରେ କଟକ-ଭୁବନେଶ୍ୱର ମନା । କାମ ନଥିଲେ କେହି ଅଯଥାରେ ଏହି ଦୁଇ ସହର ଆସିପାରିବେନି । ନିୟମ ନମାନିଲେ କଡାକାର୍ଯ୍ୟାନୁଷ୍ଠାନ ।

Comments are closed.