ଯୁବଚାଷୀଙ୍କୁ ରୋଜଗାର ଦେଉଛି ଅଣ୍ଡା ଦିଆ କୁକୁଡା ଫାର୍ମ । କଳିଙ୍ଗ ବ୍ରାଉନ୍ ପ୍ରଜାତିର କୁକୁଡା ଚାଷ କରିଛନ୍ତି ପ୍ରଦୀପ ବେହେରା ।
କନକ ବ୍ୟୁରୋ: ଅଣ୍ଡା ଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ ଆଉ ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ଫାର୍ମ ପ୍ରତିଷ୍ଠା ପାଇଁ ହାତରେ ଅର୍ଥ ନଥିବାରୁ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ରୁଣ ଆଣିବା ସହିତ ଏହାର ସଦୁପଯୋଗ କରି ହୋଇ ପରିଛନ୍ତି ଜଣେ ସଫଳ କୁକୁଡା ଚାଷୀ ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ବନ୍ଧକଟା ଗ୍ରାମର ପ୍ରଦୀପ ବେହେରା ପ୍ରଥମେ ଏକ ଚିକେନ ସେଣ୍ଟର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଗକୁ ବଢିବାକୁ ତାଙ୍କ ମନରେ ଥିଲା ପ୍ରବଳ ଇଛା । ଏକ କୁକୁଡା ଫାର୍ମ ପ୍ରତିଷ୍ଠା କରିବା ପାଇଁ ତାଙ୍କ ମନରେ ସ୍ୱପ୍ନ ଥିବା ବେଳେ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ଫାର୍ମ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ପ୍ରଦୀପ ମାର୍ଶାଘାଈ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସଙ୍କ ସହିତ ଯୋଗାଯୋଗ କରିଥିଲେ । ସେଠାରୁ ସମସ୍ତ ସହାୟତା ପାଇ ଏକ ଅଣ୍ଡା ଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରିବା ସହିତ ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ୧୦୦୦ ଅଣ୍ଡାଦିଆ କୁକୁଡା ପାଳନ କରିବା ସହିତ ଉତ୍ପାଦିତ ହେଉଥିବା ଅଣ୍ଡା ସ୍ଥାନୀୟ ଅଞ୍ଚଳରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।
ପ୍ରଦୀପ ନିଜ ଜମିରେ ପ୍ରଥମେ ଏକ କୁକୁଡା ଫାର୍ମ ପ୍ରତିଷ୍ଠା କରିଲେ । ରାଜ୍ୟ ସରକାରଙ୍କ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ ପ୍ରଦୀପ ତାଙ୍କର ମା ସଂଯୁକ୍ତା ବେହେରାଙ୍କ ନାମରେ ୭ ଲକ୍ଷ ୬୦ ହଜାର ରୁଣ ଆଣିଥିଲେ । ଏହି ଟଙ୍କାରେ ୧୦୦୦ ଅଣ୍ଡାଦିଆ କୁକୁଡା ପାଳନ ପାଇଁ ଲକ୍ଷ ରଖି ଭୁବନେଶ୍ୱରରୁ କଳିଙ୍ଗ ବ୍ରାଉନ୍ ପ୍ରଜାତିର କୁକୁଡା ଛୁଆ ଆଣିଥିଲେ । ୩ ମାସର ଛୁଆ ଗୋଟାକ ୨୨୦ ଟଙ୍କା କିଣା ହୋଇଥିବା ବେଳେ ୫ ମାସ ହେଲା ବେଳକୁ ଅଣ୍ଡା ଦେବା ଆରମ୍ଭ କରିଥିଲେ । ଏହି କଳିଙ୍ଗ ବ୍ରାଉନ୍ ପ୍ରଜାତିର କୁକୁଡା ବର୍ଷେରୁ ଦେଢବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଉଥିବା ବେଳେ ବାର୍ଷିକ ୨୦୦ ରୁ ୩୦୦ ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି ।
ଏହି ଅଣ୍ଡା ସ୍ଥାନୀୟ ବଜାରରେ ୬ ରୁ ୭ ଟଙ୍କା ଦାମ ରହୁଥିବା ବେଳେ ଲୋକମାନେ ପ୍ରଦୀପଙ୍କ ଫାର୍ମକୁ ଆସି ଅଣ୍ଡା କିଣି ନିଅନ୍ତି । ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଏବଂ କୁକୁଡା ଚାଷୀ ପ୍ରଦୀପଙ୍କ ଫାର୍ମକୁ ଆସି ବୁଲି ଦେଖିବା ସହିତ ପ୍ରଦୀପଙ୍କ ସ୍ହିତ ଆଲୋଚନା କରି ଅଣ୍ଡାଦିଆ କୁକୁଡା ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାଙ୍କ ଯୋଜନାର ସଫଳ ରୁପାୟନ ସହିତ ଅଣ୍ଡାଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରି ପ୍ରଦୀପ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।