କନକ ବ୍ୟୁରୋ : ୟୁପିରେ କଂଗ୍ରେସର ବଡ ନେତା ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ରାଜସ୍ଥାନରେ କଂଗ୍ରେସ ସଙ୍କଟ ଘନେଇଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁସାରେ, ଗତକାଲି ସଚିନ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧି । ଖୁବଶୀଘ୍ର ସଚିନ ପାଇଲଟ ଦିଲ୍ଲୀ ଆସୁଥିବା ନେଇ ବି ଚର୍ଚ୍ଚା ଜୋର ଧରିଛି ।
ଗତକିଛି ଦିନ ମଧ୍ୟରେ ରାଜସ୍ଥାନରେ ସଚିନ ପାଇଲଟ ଗୋଷ୍ଠୀ ପୁଣି ଅସନ୍ତୁଷ୍ଟ ହୋଇପଡିଛନ୍ତି । ଗତବର୍ଷ ସଚିନ ପାଇଲଟଙ୍କ ବିଦ୍ରୋହ ଯୋଗୁଁ ରାଜସ୍ଥାନରେ କଂଗ୍ରେସ ସରକାର ସଙ୍କଟରେ ପଡିଥିଲା । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ପାଇଲଟ ଶାନ୍ତ ପଡିଥିଲେ । ସମସ୍ୟାର ସମାଧାନ ଲାଗି ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଏ ବାବଦରେ କୌଣସି ନିଷ୍ପତି ନିଆଯାଇଥିଲା । ଗତକାଲି ଜୟପୁରରେ ସଚିନ ପାଇଲଟ ଶକ୍ତିପ୍ରଦର୍ଶନ କରିଥିଲେ । ଏଥିରେ ସଚିନ ଗୋଷ୍ଠୀର ୮ ଜଣ ବିଧାୟକ ସାମିଲ ହୋଇଥିଲେ ।