ଦୁର୍ଦ୍ଦାନ୍ତ ଦନ୍ତା ‘ରାମୁ’କୁ କାବୁ କଲାବେଳେ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

ଏବେ ଖୋର୍ଦ୍ଧା ଓ ଟାଙ୍ଗୀ ଅଂଚଳରେ ବୁଲୁଛି ହାତୀ

90

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ଆଜି ଭୋରରେ ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚିକତ୍ସା ପାଇଁ ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଟାଙ୍ଗି ରେଂଜ ଅଂଚଳରେ ଥିବା ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ୩୦ ଜଣ ଯାଇଥିଲେ । ପ୍ରଥମ ଦିନରେ ମଧ୍ୟ ବନ ବିଭାଗ ଟିମ୍ ଫେଲ୍ ମାରିଥିଲା ।

୪ ଦିନ ଧରି ବନ ବିଭାଗ ସହ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ନନ୍ଦନକାନନ ଏବଂ ଓୟୁଏଟି ଟିମ୍ ରାମୁକୁ ଦୁଇ ଥର ଟ୍ରାଙ୍କୁଲାଇଜର ମାଡ କରିଥିଲେ । ହେଲେ ସେ ଘଂଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ରାମୁ ଏବେ ଭରତପୁର ଛାଡି ଖୋର୍ଦ୍ଧା ଓ ଟାଙ୍ଗି ଅଂଚଳରେ ରହିଛି । ୭ ଦୁର୍ଦ୍ଦାନ୍ତ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବା ପାଇଁ ଯୋଜନା ରହିଛି । ଚନ୍ଦକା, ଖୋର୍ଦ୍ଧା ଓ ଆଠଗଡ଼ ଅଂଚଳର ୩ ହାତୀ ଏବଂ ଶିମିଳିପାଳ ଅଂଚଳର ୪ ହାତୀଙ୍କ ବେକରେ ରେଡିଓ କଲାର ଲଗାଇବା ପାଇଁ ଯୋଜନା କରାଯାଇଛି । ପୂର୍ବରୁ ବିଭିନ୍ନ ରାଜ୍ୟରେ ୧୦୦ରୁ ଅଧିକ ହାତୀ ବେକରେ ରେଡିଓ କଲାର ଲଗାଯାଇଛି ।