କନକ ବ୍ୟୁରୋ : ଭଳିକି ଭଳି କୃଷି ଯନ୍ତ୍ରପାତି । ଟ୍ରାକ୍ଟର ଠାରୁ ଆରମ୍ଭ କରି ଚାଷ କାମରେ ବ୍ୟବହାର ହେଉଥିବା ଅନ୍ୟ ସବୁ ଉପକରଣ ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଛି । ଧାନ ମେସିନ, ତେଲ ମେସିନ, ପାଣି ପମ୍ପ ଠାରୁ ମାଟି ଖୋଳା ମେସିନ ପର୍ଯ୍ୟନ୍ତ ସବୁ ଯନ୍ତ୍ରପାତି ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ଚାଷୀ ନିଜେ ଦେଖିବେ ତାଙ୍କ ମନ ମୁତାବିକ କିଣିବେ । ତାହା ମଧ୍ୟ ୭୫ ରୁ ୮୦ ଭାଗ ରିହାତି ଦରରେ । ଚାଷୀଙ୍କ ଉନ୍ନତି ପାଇଁ ଜୟପୁରରେ କୃଷକ ମେଳାର ଆୟୋଜନ ହୋଇଛି । ଥିବାବେଳେ ଏଥିରେ ଉପକୃତ ହେଉଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ । ୧୧୩ ଟି କୃଷି ଯନ୍ତ୍ରପାତିର ଷ୍ଟଲ ଲାଗିଥିବା ବେଳେ ମହିଳାଙ୍କ ପାଇଁ ମିଲେଟ ମିସନ ଜରିଆରେ ଷ୍ଟଲ ମଧ୍ୟ ହୋଇଛି ।

Advertisment

ଏହି ମେଳାରେ ଖାଲି କୃଷି ଉପକରଣ ନୁହେଁ, ଆଦିବାସୀ ଅଧ୍ୟୁସିତ ଅଂଚଳର ମହିଳା ମାନଙ୍କ ହାତ ତିଆରି ଅନେକ ଜିନିଷ ଏଠାରେ ଦେଖିବାକୁ ମିଳଛି । କାଠ ଖୋଦେଇ ହୋଇଥିବା ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ଏବଂ ବୁଣାକାରଙ୍କ ହାତବୁଣା ବସ୍ତ୍ର ଷ୍ଟଲ ମଧ୍ୟ ଏହି ମେଳାର ଦୃଷ୍ଟି ଆକର୍ଷଣ କରିଛି । କୋରାପୁଟ ଅଂଚଳରେ ମିଳୁଥିବା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଷ୍ଟଲ ମଧ୍ୟ ଏହି ମେଳାରେ ପଡ଼ିଥବା ଦେଖିବାକୁ ମିଳିଛି ।

ସହଜ ଉପାୟରେ କିଭଳି ଚାଷ କାମ କରିହେବ । ହାତପାହାନ୍ତାରେ ଯନ୍ତ୍ରପାତି ପହଂଚାଇ କିଭଳି ଚାଷ କାମରେ ଶ୍ରମିକ ସମସ୍ୟା ଦୂର କରିହେବ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଚାଷୀଙ୍କୁ ତାଲିମ ଦେବା ସହ ଉନ୍ନତ ଜ୍ଞାନ କୌଶଳ ଯୋଗାଇବା ପାଇଁ ଏହି ମେଳାରେ ବ୍ୟବସ୍ଥା କରାଯାଇଛି । ୫ ଦିନରେ ପାଖାପାଖି ୨୦ କୋଟିରୁ ଉର୍ଦ୍ଧ ବ୍ୟବସାୟ ହୋଇଥିବା ଜଣାପଡ଼ିଛି ।