ଚଳିତବର୍ଷ ଆଇପିଏଲ ଆୟୋଜନ ପାଇଁ ଉଦ୍ୟମ ଆରମ୍ଭ । ସବୁ ରାଜ୍ୟର କ୍ରିକେଟ ସଂଘକୁ ଚିଠି ଲେଖିଲେ ବିସିସଆଇ ସଭାପତି ସୌରଭ ଗାଙ୍ଗୁଲି : କହିଲେ, ଖାଲି ଷ୍ଟାଡିୟମରେ ବି କରାଯାଇପାରେ ଆୟୋଜନ

734

କନକ ବ୍ୟୁରୋ : କରୋନା ମୁକାବିଲା ମଧ୍ୟରେ ଆଇପିଏଲ ଆୟୋଜନ ନେଇ ଆଶା ସଂଚାର ହୋଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସବୁ ରାଜ୍ୟର କ୍ରିକେଟ ସଂଘକୁ ଚିଠି ଲେଖିଛନ୍ତି । ଏଥିରେ ସେ କହିଛନ୍ତି, ଆମେ ଆଇପିଏଲ ଆୟୋଜନ ନେଇ ପ୍ରତିବଦ୍ଧ ଓ ଆବଶ୍ୟକ ପଡିଲେ ଏହାକୁ ଖାଲି ଷ୍ଟାଡିୟମରେ ବି ଆୟୋଜନ କରାଯାଇପାରେ । ଚିଠିରେ ଗାଙ୍ଗୁଲି ଆହୁରି ଲେଖିଛନ୍ତି, ଧୀରେ ଧୀରେ କ୍ରିକେଟ ଆରମ୍ଭ ହେବ ଓ ଏଥିପାଇଁ କିଛି ସମୟ ଲାଗିପାରେ । ଆଇପିଏଲର ୧୩ ତମ ସଂସ୍କରଣ ୨୯ ମାର୍ଚରୁ ଆରମ୍ଭ ହେବାର ଥିଲା । ତେବେ କରୋନା ଯୋଗୁଁ ଏହାକୁ ଅନିଶ୍ଚିତ କାଳ ଯାଏଁ ସ୍ଥଗିତ ରଖାଯାଇଛି ।

ଏଭଳି ସ୍ଥିତିରେ ଆଇପିଏଲର ଆୟୋଜନ ନେଇ ସମସ୍ତ ବିକଳ୍ପ ଉପରେ ବିଚାର କରୁଛି ବିସିସିଆଇ । କ୍ରିକେଟ ପ୍ରଂଶସକ, ଫ୍ରାଞ୍ଚାଇଜି, ଖେଳାଳି, ବ୍ରଡକାଷ୍ଟର ଏହି ଆୟୋଜନକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଏଭଳି ସମୟରେ ସୌରଭ ଗାଙ୍ଗୁଲିଙ୍କ ଏହି ଚିଠି ଆଇପିଏଲ ଆୟୋଜନ ନେଇ ନୂଆ ଆଶା ସଂଚାର କରିଛି । ଭାରତ ଓ ଅନ୍ୟ ଦେଶର ଖେଳାଳି ବି ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିସିସିଆଇ ଏ ବାବଦରେ ଶୀଘ୍ର ନିଷ୍ପତି ନେବା ଆଶା କରାଯାଉଛି । ଆଇପିଏଲ ଆୟୋଜନ ନ ହେଲେ ପାଖାପାଖି ୪ ହଜାର ୮ ଶହ କୋଟି କ୍ଷତି ହେବା ଆକଳନ କରାଯାଇଛି ।