ୟୁକ୍ରେନ-ଋଷିଆ ଯୁଦ୍ଧ ଶେଷ କରିବାକୁ ଚାଲିଛି ପ୍ରୟାସ: ମସ୍କୋରେ ପହଂଚି ପୁଟିନ ପ୍ରଶାସନ ସହ ଆଂଟୋନିଓ ଗୁଟେରସଙ୍କ ଆଲୋଚନା

348

କନକ ବ୍ୟୁରୋ: ୟୁକ୍ରେନ ଉପରେ ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆର ଆକ୍ରମଣ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ବାରମ୍ବାର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ଏହାରି ଭିତରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଧମକ ଦେଇଛି ରୁଷିଆ । ଏବଂ ଏଥିପାଇଁ କିଭକୁ ଦାୟୀ କରିଛନ୍ତି ପୁଟିନ । ପଶ୍ଚିମ ଦେଶ ଗୁଡିକ ୟୁକ୍ରେନକୁ ଯୋଗାଇ ଦେଉଥିବା ସାହାଯ୍ୟକୁ ନେଇ ଏପରି ଅଭିଯୋଗ କରିଛି ରୁଷିଆ । ଏହାରି ଭିତରେ ପୁଣି ଥରେ ରୁଷିଆ ଓ ୟୁକ୍ରେନ ଭିତରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ତୁର୍କୀ ।

ଏହାରି ଭିତରେ ମିଳିତ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟେରସ ମସ୍କୋ ଗସ୍ତ କରିଛନ୍ତି । ପ୍ରତିକ୍ରିୟା ରଖି ସେ କହିଛନ୍ତି, ୟୁକ୍ରେନ ଓ ରୁଷିଆ ଭିତରେ କିପରି ଶୀଘ୍ର ଯୁଦ୍ଧ ଶେଷ ହେବ ସେ ନେଇ ଉପାୟ ବାହାର କରିବାକୁ ପଡିବ । ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧ ବିରତି ସହ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପାଇଁ ବାଟ ବାହାର କରିବାକୁ ପଡିବ ବୋଲି କହିଛନ୍ତି ମିଳିତ ଜାତିସଂଘ ମୁଖ୍ୟ । ସେପଟେ ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, ୮୦ଲକ୍ଷ ଲୋକ ଯୁଦ୍ଧ କ୍ଷେତ୍ର ୟୁକ୍ରେନ ଛାଡି ଦେଶ ବାହାରକୁ ଚାଲି ଯାଇଛନ୍ତି । ଏବଂ ପଡୋଶୀ ରାଷ୍ଟ୍ର ଗୁଡିକରେ ଆଶ୍ରୟ ନେଇଛନ୍ତି ।

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଦୁଇ ମାସରୁ ଅଧିକ ସମୟ ବିତିଛି । ଗତ ଫେବ୍ରୁୟାରୀ ୨୪ତାରିଖରେ ୟୁକ୍ରେନ ଉପରେ ପୁଟିନ ସେନା ଆକ୍ରମଣ କରିଥିଲା । ତେବେ କୁହାଯାଉଛି ଆଉ ମାତ୍ର ଦୁଇରୁ ତିନି ଦିନ ମଧ୍ୟରେ ଏହି ଯୁଦ୍ଧ ଶେଷ ହେବ । କାରଣ ଯେକୌଣସି ମତେ ମେ’୯ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହିଁବେ ଭ୍ଲାଦିମିର ପୁଟିନ । କିନ୍ତୁ ଏପର୍ଯ୍ୟନ୍ତ ଯୁଦ୍ଧର କୌଣସି ନିଷ୍କର୍ସ ବାହାରିନାହିଁ । କାରଣ ରୁଷିଆ ସେନାକୁ ସବୁ ସ୍ଥାନରେ କଡା ମୁକାବିଲା ଦେଇ ଆସୁଛି ୟୁକ୍ରେନ ସେନା । ତେବେ ନଜର ପକାନ୍ତୁ ମେ’୯ତାରିଖ ସହ କଣ ରହିଛି ସମ୍ପର୍କ
ପୁଟିନ୍ ପାରମ୍ପରିକ ଚିନ୍ତାଧାରାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି । ଆଉ ମେ ୯ ତାରିଖ ରୁଷିଆ ସେନା ଭିକ୍ଟ୍ରି ଦିବସ ଭାବେ ପାଳନ କରି ଆସୁଥିବାରୁ ଏହି ତାରିଖ ପୂର୍ବରୁ ୟୁକ୍ରେନ ବିରୋଧରେ ବିଜୟ ପାଇଁ ସବୁ ସାମର୍ଥ୍ୟ ଲଗାଇ ପାରନ୍ତି ପୁଟିନ ।

ମେ ମାସ ୯ ତାରିଖ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଓ ରୁଷିଆ, ୟୁକ୍ରେନ ଭିତରେ ରହିଛି ସଂଯୋଗ । ହିଟଲରଙ୍କ ନାଜି ସେନା ଯେତେବେଳେ ୟୁରୋପ ଉପରେ ନିଜ ଅତ୍ୟାଚାର ବଢାଇ ଚାଲିଥିଲେ ସେତେବେଳେ ତା ବିରୋଧରେ ମଇଦାକୁ ମିଳିତ ଭାବେ ଓହ୍ଲାଇଥିଲେ ଆମେରିକା, ବ୍ରିଟେନ ଓ ସୋଭିଏତ ସଂଘ । ଶେଷରେ ନାଜି ସେନା ପରାଜିତ ହୋଇଥିଲା ।

– ପରାଜୟକୁ ନେଇ ଏପ୍ରିଲ ୩୦, ୧୯୪୫ରେ ହିଟଲର ଆତ୍ମହତ୍ୟା କରିଦେଲେ
– ମେ’ ୮ ତାରିଖରେ ଜର୍ମାନୀ ସୋଭିଏତ ସଂଘ ଆଗରେ ଆତ୍ମ ସମର୍ପଣ କରିନେଲା
– ମେ’ ୯ରେ ନାଜି ସେନା ବିରୋଧରେ ବିଜୟ ଘୋଷଣ କରିଥିଲା ସୋଭିଏତ ସଂଘ
– ମେ’ ୯ ତାରିଖରେ ହିଁ ରୁଷିଆ ରାଜଧାନୀ ମସ୍କୋର ରେଡ୍ ସ୍କେ୍ୱୟାରରେ ପ୍ରତିବର୍ଷ ବିଜୟ ପରେଡ୍ ଅନୁଷ୍ଠିତ ହୋଇଥାଏ