ଏପ୍ରିଲ ୧୧କୁ ଛେନାପୋଡ ଦିବସ ଭାବେ ପାଳନ ପାଇଁ ଉଦ୍ୟମ । ମିଠାର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଆଖି ଆଗରେ ରଖି ସୋସିଆଲ୍ ମିଡିଆରେ ଉଠିଲା ଦାବି ।

194

କନକ ବ୍ୟୁରୋ: ଏପ୍ରିଲ ୧୧କୁ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଏହି ଦିନ ଛେନାପୋଡର ସ୍ରଷ୍ଟା ଭାବେ ପରିଚିତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ତେଣୁ ପଖାଳ ଦିବସ ଓ ରସଗୋଲା ଦିବସ ପରି ଛେନାପୋଡ ଦିବସକୁ ପାଳନ କରି ଏହି ମିଠାର ଗ୍ରହଣୀୟତା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ସୋସିଆଲ ମିଡିଆରେ ଚେଷ୍ଟା ଆରମ୍ଭ ହୋଇଛି ।

ପଖାଳ ଦିବସ, ରସଗୋଲା ଦିବସ ଭଳି ଛେନାପୋଡ ଦିବସ ପାଳନ କରିବାକୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, କେଉଁ ତାରିଖରେ ଏହା ପାଳନ ହେବ ସେନେଇ ଏକାଧିକ ମତ ସାମ୍ନାକୁ ଆସିଥିଲା । ଏହାରି ଭିତରେ ଛେନାପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିବସକୁ ଛେନାପୋଡ ଦିବସ ଭାବେ ଉତ୍ସର୍ଗ କରିବାକୁ ଏକାଧିକ ସଂସ୍ଥା, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ସୁଦର୍ଶନଙ୍କ ଜନ୍ମ ତାରିଖ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ ।

ଛେନାପୋଡର ପ୍ରସ୍ତୁତି ଏବଂ ଏହାର ଆରମ୍ଭ ଦିନର କଥା ବେଶ ରୋଚକ । କିଭଳି ଏବଂ କେଉଁ ପରିସ୍ଥିତିରେ ଛେନା ନଷ୍ଟ ହୋଇଯିବା ଆଶଙ୍କାରେ ଏହାକୁ ନୂଆ ଢଙ୍ଗରେ ପ୍ରସ୍ତୁତି କରିବା ବେଳେ ଏହା ଛେନାପୋଡର ରୂପ ନେଇଗଲା, ତାକୁ ବଖାଣିଛନ୍ତି ସୁଦର୍ଶନ ସାହୁଙ୍କ ପୁଅ ସୁମ୍ ସାହୁ । ଦିନେ ବଳିପଡିଥିବା ଛେନାକୁ ବ୍ୟବହାର କରିବାକୁ ଯାଇ ସୁଦର୍ଶନ ସାହୁ କରିଥିବା ଉଦ୍ୟମ ଆଜି ଛେନାପୋଡର ରୂପ ନେଇ ଲୋକ ମାନଙ୍କ ହୃଦୟର ବେଶ ନିକଟତର ହୋଇପାରିଛି । ଖାଲି ନୟାଗଡ ନୁହେଁ, ପୁରା ରାଜ୍ୟରେ, ଦେଶରେ ଏପରିକି ବିଦେଶରେ ମଧ୍ୟ ଏହା ବେଶ ଆଦୃତି ଲାଭ କରିଛି । ଏବେ ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

ସ୍ୱର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଆସନ୍ତା ଅପ୍ରେଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ହିସାବରେ ପାଳନ କରିବାକୁ ଉଦ୍ୟମ କରୁଛନ୍ତି ଏକାଧିକ ସଂସ୍ଥା । ଆଉ ଏଭଳି ଉଦ୍ୟମକୁ ନୟାଗଡରୁ ମିଳୁଛି ଢେର ପ୍ରଶଂସା ।